ମହାପ୍ରଭୁଙ୍କ ସ୍ନାନଯାତ୍ରା : କଟକଣା ସହ ସମ୍ପାଦନ ହେଉଛି ନୀତି, ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି 

178

କନକ ବ୍ୟୁରୋ : ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରୁନାହାନ୍ତି ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ଜଣାଇ ଦେଇଛନ୍ତି ଗଜପତି । ପରମ୍ପରା ଅନୁଯାୟୀ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ଚଳିତ ବର୍ଷ ଛେରାପହଁରା ନୀତି ସଂପାଦନ କରିବେ । ମଧ୍ୟରାତିରୁ ସ୍ନାନଯାତ୍ରା ପାଇଁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ନୀତି ଅନୁଯାୟୀ, ବୁଧବାର ରାତି ୧ଟାରେ ମଙ୍ଗଳାର୍ପଣ, ରାତି ୧ଟାରୁ ୪ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ହୋଇ ପହଣ୍ଡି ସଂପନ୍ନ ହୋଇଛି । ପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ସାଢ଼େ ୫ଟାରେ ଅଧରପୋଛା, ୬ଟାରେ ଅବକାଶ, ସାଢ଼େ ୬ଟାରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟପୂଜା, ୭ଟାରେ ବେଶଶେଷ ଓ ଦ୍ବାରପାଳ ପୂଜା, ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ, ପୂଜା, ସ୍ନାନ, ପୂର୍ବାହ୍ଣ ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ । ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରା ପହଁରା ନୀତି ପରେ ପୂର୍ବାହ୍ଣ ୧୧ଟାରୁ ୧୨ଟା ଭିତରେ ହାତୀବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ୧ଟାରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା, ସକାଳଧୂପ ନୀତି ଅନୁଷ୍ଠିତ ହେବ ।
ଅପରାହ୍ଣ ୪ଟାରେ ହାତୀବେଶ ମଇଲମ(ଓଲାଗି) ପରେ ସାଢ଼େ ୪ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ(ଓଲାଗି), ରାତି ୯ଟାରୁ ୧୨ଟା ଭିତରେ ତାଟିବନ୍ଧା, ରାତି ସାଢ଼େ ୧୨ଟାରେ ଦଶାବତାର ବିଜେ ନୀତି ଅନୁଷ୍ଠିତ ହେବ । ରାତି ୧ଟାରେ ମହାସ୍ନାନ ହେବ। ରାତି ସାଢ଼େ ୧ଟାରେ ମଇଲମ, ବେଶ, ୨ଟାରୁ ୩ଟା ମଧ୍ୟାହ୍ନଧୂପ, ସାଢ଼େ ୩ଟାରେ ଦକ୍ଷିଣି‌ଘର ଭୋଗ, ଜୟ-ବିଜୟ ଦ୍ବାର ବନ୍ଦ, ବେହେରଣ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଭୋର ୪ଟାରେ ଅଣସର ନୀତି, ୪ଟା ୫୦ରେ ପଣା ଭୋଗ, ୫ଟାରେ ବେହେରଣ ଦ୍ବାର ବନ୍ଦ ଓ ଜୟ-ବିଜୟ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଅଣସର ନୀତି ବେଳେ ୧୫ ଦିନ ଶ୍ରୀମନ୍ଦିର ‌ଘଣ୍ଟଘଣ୍ଟା ନିଷେଧ ରହିବ ।
ସେପଟେ ଆଇନଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି । ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳକନ୍ଦିକୁ ସିଲ୍‌ କରି ଦିଆଯାଇଛି । ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ସଂପୂର୍ଣ୍ଣ ନି‌ଷେଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ପୁରୀ ସହରକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ୩୫ ପ୍ଲାଟୁନ ଫୋର୍ସ ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସପି, ଇନ୍‌ସ୍ପେକ୍ଟର ଆଦି ରାଙ୍କ୍‌ର ୨୩୦ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି । ସହରର ପ୍ରବେଶ ପଥର ଯଥା ମଙ୍ଗଳାଘାଟ, ବାଟଗାଁ, ମାଳତୀପାଟପୁର, ଗ୍ରିଡ୍‌ ଷ୍ଟେସନ୍‌, ତୋଷାଲି ସ୍ୟାଣ୍ଡ୍‌ ଛକକୁ ସିଲ୍‌ କରାଯାଇଛି । ୧୬ଟି ଆଉର୍ଟ କର୍ଡନ୍‌, ୪୩ଟି ମିଡିଲ୍‌ କର୍ଡନ୍‌ ଓ ୧୬ଟି ଇର୍ନ କର୍ଡନ୍‌ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରବେଶ ପଥରେ ବାରିକେଡ୍‌ ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।