ଜଣେ ପୁଅର ବିନତୀ, ‘ମୋ ମା’ଙ୍କୁ କ୍ଷମା କରିଦିଅ, ଫାଶୀ ଦିଅନି’

193

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଅମରୋହା ହତ୍ୟା ମାମଲାରେ ଦୋଷୀ ସବନମଙ୍କୁ ଫାଶୀ ପାଇଁ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ‌ହୋଇଯାଇଛି। ସବନମ୍‌ ତାଙ୍କ ପ୍ରେମିକ ସଲିମଙ୍କ ସହ ମିଶି ପରିବାରର ୭ ଜଣ ସଦସ୍ୟଙ୍କୁ ଅତି ବର୍ବର ଭାବେ ହତ୍ୟା କରିଥିଲେ। ୨୦୦୮ ମସିହାର ଏହି ହତ୍ୟା ମାମଲାରେ ସବନମ୍‌ ଦୋଷୀସାବ୍ୟସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ମାମଲାରେ ସବନମଙ୍କ ରିଭ୍ୟୁ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ ହେବାପରେ ରାଷ୍ଟ୍ରପତି ମଧ୍ୟ ତାଙ୍କ କ୍ଷମା ଆବେଦନକୁ ଖାରଜ କରିଛନ୍ତି।

ଅନ୍ୟପ‌କ୍ଷେ ସବନମ୍‌ ଅଲିଙ୍କ ୧୨ ବର୍ଷୀୟ ପୁଅ ତାଙ୍କ ମା’ଙ୍କୁ କ୍ଷମା କରିଦେବାପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ମା’ଙ୍କ କ୍ଷମା ଆବେଦନ ଉପରେ ବିଚାର କରିବାପାଇଁ ସେ ରାଷ୍ଟ୍ରପତିଙ୍କୁ ସୋସିଆଲ ମିଡିଆରେ ଅନୁ‌ରୋଧ କରିଛନ୍ତି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସବନମଙ୍କ ପୁଅ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି ଏବଂ ଏଥିରେ ଲେଖାଅଛି ‘ପ୍ରେସିଡେଣ୍ଟ୍‌ ଅଙ୍କଲ୍‌, ମୋ ମା’ଙ୍କୁ ମୁଁ ବହୁତ ଭଲ ପାଉଛି ଏବଂ ତାଙ୍କୁ ଦୟାକରି କ୍ଷମା କରିଦିଅନ୍ତୁ। ମା’ଙ୍କ ଫାଶୀଦଣ୍ଡ କାର୍ଯ୍ୟକାରୀ ହେବ ବୋଲି ଶୁଣି ସବନମଙ୍କ ପୁଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ବୋଲି କୁହାଯାଉଛି।

ଇତି ମଧ୍ୟରେ ମଥୁରା ଜେଲରେ ସବନମଙ୍କୁ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଥୁରାର ଏହି ଜିଲ୍ଲା ଜେଲ୍‌ ୧୫୦ ବର୍ଷ ପୂର୍ବେ ୧୮୭୦ରେ ନିର୍ମାଣ ହୋଇଥିଲା। ଦେଶରେ ଏହି ଏକମାତ୍ର ଜେଲରେ କେବଳ ମହିଳା ଫାଶୀ ଗୃହ ରହିଛି। କିନ୍ତୁ ସ୍ବାଧୀନତା ପରଠାରୁ ଏଠାରେ କୌଣସି ଜଣେ ହେଲେ ମହିଳାଙ୍କୁ ଫାଶୀ ଦିଆଯାଇନଥିଲା। ଦେଶର ପ୍ରଥମ ମହିଳା ଭାବେ ସବନମଙ୍କୁ ସ୍ବାଧୀନତା ପରେ ପ୍ରଥମ ଫାଶୀ ମିଳିବ। ସବନମଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାପାଇଁ ପବନ ଜହ୍ଲାଦ ଜେଲ୍‌ ପରିସର ଯାଇ ସ୍ଥିତି ଯା‌ଞ୍ଚ କରିଛନ୍ତି। ତେବେ ଫାଶୀ ଗୃହରେ ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି। ଫାଶୀ ପୂର୍ବରୁ ଏହାକୁ ଭଲଭାବେ ସଜାଡ଼ିବାକୁ ପଡ଼ିବ ବୋଲି ପବନ ଜହ୍ଲାଦ କହିଛନ୍ତି।