କରୋନା ଭିତରେ ଚ୍ୟାଲେଂଜ ହେବ ବାତ୍ୟା ମୁକାବିଲାର ପ୍ରସ୍ତୁତି । ଉପକୂଳ ଜିଲ୍ଲାରେ ହୋଇପାରେ ବହୁ ସଂଖ୍ୟାରେ ସ୍ଥାନାନ୍ତରଣ

620

କନକ ବ୍ୟୁରୋ: ଏବେ ସେ ସ୍ଥିତି ନାହିଁ ଯାହା ଫନି ବାତ୍ୟା ସମୟରେ ଥିଲା, କିମ୍ବା ତିତଲି ଆସିବା ସମୟରେ ଥିଲା । ସଂଭାବ୍ୟ ବାତ୍ୟା ‘ୟସ୍’ ଆସିବା ଆଗରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏତେ ସହଜ ହୋଇନପାରେ । କାରଣ, ମହାମାରୀ ଏବେ ସହରଠୁ ଗାଁ ମୁହାଁ ହୋଇଛି ଏବଂ ସଂକ୍ରମଣ ବଢ଼ିବା ଆଶଙ୍କା ଆହୁରୀ ବଢ଼ିଯାଇଛି । ଏଭଳି ସ୍ଥିତିରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ଲୋକଙ୍କ ଧନଜୀବନର ରକ୍ଷା କରିବା ବହୁତ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।

ଆକଳନ କହୁଛି-ବାତ୍ୟା ‘ୟସ୍’ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡ ଫଲ କରିପାରେ । ଯଦି ଠିକ୍ ସେଇୟା ହୁଏ, ଓଡ଼ିଶାର ଉପକୂଳ ଜିଲ୍ଲାର ଏହାର ପ୍ରଭାବ ଦେଖିବାକୁ ମିଳିବ । ବିଶେଷ କରି ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଏହାର ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି । ତେଣୁ ଆବଶ୍ୟକ ହେଲେ କୋଭିଡ୍ କଟକଣା ଭିତରେ ସ୍ଥାନାନ୍ତର ହୋଇପାରେ ।

ଏପଟେ ବାତ୍ୟ।। ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ପୂର୍ବରୁ ଓଡ୍ରାଫ୍, ଏନଡିଆଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିôକାରୀଙ୍କ ସହ ଆଲୋଚନା କରିଥିଲେ ଏସଆରସି । ଏଥିସହ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର, ପୁରୀ, ବାଲେଶ୍ୱର ଆଦି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି । ଏରସମା, ବାଲିକୁଦା, କୁଜଙ୍ଗ, ତିର୍ତୋଲ ବ୍ଲକ ଓ ତହସିଲକୁ ଆଗୁଆ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଜିଲ୍ଲାରେ ୯୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୨୨ ତାରିଖରୁ ସମୁଦ୍ରକୁ ମାଛ ମାରିବାକୁ ନଯିବାକୁ ପରାମର୍ଶ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆଉ ଏହି ସବୁ ପ୍ରସ୍ତୁତି ଭିତରେ ଚିନ୍ତା ବଢ଼ାଉଛି ମହାମାରୀ । ମହାମାରୀ ସମୟରେ ବାତ୍ୟା ମୁକାବିଲା ପ୍ରଶାସନର ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ସାମ୍ନାକୁ ଆସିଛି ।