କନକ ବ୍ୟୁରୋ : ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ପୁରୀ ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଗତକାଲି କେନ୍ଦ୍ରାଚଂଳ ଆଇଜି ନରସିଂହ ଭୋଳ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ । ଆଜି ଜିଲ୍ଲାପାଳ ସାମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପ୍ରତିଙ୍କ ସୁରକ୍ଷା ବ୍ୟବସ୍ଥାରେ ୪୦ ଜଣ ବରିଷ୍ଠ ଅଧିକାରୀ ଏବଂ ୨୦୦ ଜଣ ଅଫିସର ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

Advertisment

ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଏସପି କନୱାର ବିଶାଲ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ମୁତାବକ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୨ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଚିଂବେ । ସେଠାରୁ ହେଲିକ୍ୟାପ୍ଟର ଯୋଗେ ୩ଟା ୨୫ରେ ପୁରୀ ହେଲିପ୍ୟାଡରେ ପହଂଚିବେ । ୩ଟା ୪୦ରେ ମେ ଫେୟାରରେ ପହଂଚିବେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ମହାପ୍ରଭୁଙ୍କ ଦର୍ଶନ ସାରି ମେ ଫେୟାରରେ ରାତି ଯାପନ କରିବେ ।

୨୦ ତାରିଖ ୧୦ଟା ୩୫ ମିନିଟ୍ରେ ଟାଉନ ଥାନା ନିକଟରେ ଥିବା ଚୈତନ୍ୟ ଗୌଡିୟ ମଠକୁ ଯିବେ । ସେଠାରେ ପୁଷ୍ପାଂଜଳି କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ଶରଧା ବାଲିର ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ଜନ୍ମବାର୍ଷିକୀ ଉତ୍ସବରେ ଉଦବୋଧନ ଦେବେ । କାର୍ଯ୍ୟକ୍ରମ ସରିବା ପରେ ପୁରୀ ଛାଡ଼ି ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ଗସ୍ତ କରିବେ ।