ଆଗକୁ ଶୀତଳଷଷ୍ଠୀ: ନିର୍ବନ୍ଧ ସରିଯିବା ପରେ ଚଳଚଞ୍ଚଳ କନ୍ୟା ଘର, ଶେଷ ପର୍ଯ୍ୟାୟରେ ପହଂଚିଲାଣି ପ୍ରସ୍ତୁତି

200

କନକ ବ୍ୟୁରୋ: ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସମ୍ବଲପୁର ଓ କନ୍ୟା ପିତାମାତା ଘର । ଗତକାଲି ନନ୍ଦପଡ଼ାର ବମବରାଡ଼ ବାବା ବାଲୁଙ୍କେଶ୍ୱରଙ୍କ ନିର୍ବନ୍ଧ ତଥା ପତରପେଣ୍ଡି ଯାତ୍ରା ସରିଥିବା ବେଳେ ଆଜି ଦେବ ନିମନ୍ତ୍ରଣ ରହିଛି । ସେହିପରି ବଡ଼ବଜାର ଶୀତଳେଶ୍ୱର ବାବା, ମୋଦିପଡ଼ା ଜାଗେଶ୍ୱର ବାବା, ଝାଡ଼ୁଆପଦା ଲୋକନାଥ ବାବା ସମେତ ଅନ୍ୟପଡ଼ାର ଆସନ୍ତାକାଲି ପତରପେଣ୍ଡି ରହିଛି । ତେବେ ଆଜି କନ୍ୟା ମାତାପିତା ଘରେ ପ୍ରସ୍ତୁତି ଜୋରଦାର ରହିଛି । ବାବା ଶିତଳେଶ୍ୱରଙ୍କ ଶ୍ୱଶୁର ଘର ରାଜା ବେହେରା ଓ ପୁଷ୍ପାଂଜଳୀ ବେହେରାଙ୍କ ଘରେ ଜୋରଦାର ପ୍ରସ୍ତୁତି ଚାଲିଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି । ଚାରି ଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାରେ କନ୍ୟା ଖୋଜା ପର୍ବ ସମାପନ ହୋଇଛି । ତାସହିତ ଦେବ ନିମନ୍ତ୍ରଣ , ଅଳଙ୍କାର ଧାରଣ ଓ ଦେବ ଦମ୍ପତିଙ୍କ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ରାଜା ରାଜୁଡା ଅମଳରୁ ମହଣ ମହଣ ରୂପାରେ ତିଆରି ବିମାନ । ତା ସାଙ୍ଗକୁ ୧୦୮ ଭରି ସୁନାର ନାଗ ପ୍ରତିମା ମଧ୍ୟ କୋଷାଗାରରୁ ବାହାରିଛି । ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ବିବାହ ବେଶ ଜାକଜମକର ସହ ପାଳିତ ହେବ । ସେ ନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଗଲାଣି । ନିର୍ବନ୍ଧ କାମ ଶେଷ ହୋଇଥିବା ବେଳେ ଏବେ ବିବାହକୁ ଅପେକ୍ଷା ରହିଛି । ତେବେ ଏହି ବିବାହରେ ମୁଖ୍ୟ ଆକର୍ଷଣ ହେଉଛି ରାଜୁଡା ଅମଳରୁ ବ୍ୟବହାର ହେଉଥିବା ୧୦୮ ଭରି ସୁନା ନାଗପ୍ରତିମା । ତେବେ ବିବାହ ସହ ବାବା ଚନ୍ଦ୍ରଶେଖର , ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କ ସହିତ ଦର୍ଶନ ଦେବେ । ଯାହା ଦେଖିବାକୁ ଦୂର ଦୂରାନ୍ତରୁ ଲାଗିବ ଶ୍ରଦ୍ଧାଳୁଙ୍କ ଭିଡ । ତା ସହିତ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ସମସ୍ତ ଆୟୋଜନ କରାଯାଇଛି ।