ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ । ଡିସେମ୍ବର ୨୩ରୁ ଖୋଲିବ ସିଂହଦ୍ୱାର । ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ । କରୋନା ରିପୋର୍ଟ ସହ ଜାନୁଆରୀ ୩ରୁ ଅନ୍ୟମାନେ କରିପାରିବେ ଦର୍ଶନ

90

କନକ ବ୍ୟୁରୋ : ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ । ଡିସେମ୍ବର ୨୩ରୁ ଖୋଲିବ ସିଂହଦ୍ୱାର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ । ଡିସେମ୍ବର ୨୩ରୁ ୩୧ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିପାରିବେ । ତେବେ କରୋନା ମହାମାରୀ ଭିତରେ ଭିଡକୁ ନଜରରେ ରଖି ଜାନୁୟାରୀ ୧ ଓ ୨ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର । ଜାନୁୟାରୀ ୩ତାରିଖରୁ ସମସ୍ତେ ଜଗା ଦର୍ଶନ କରିପାରିବେ । ତେବେ ବାହାର ଜିଲ୍ଲା ଓ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।

ଦୀର୍ଘ ୯ ମାସ ପରେ ଜଗା ଦର୍ଶନ ପାଇଁ ଭକ୍ତ ଆତୁର ହୋଇ ଚାହିଁ ରହିଛନ୍ତି । ତେବେ ଦ୍ୱନ୍ଦ୍ୱ ବଢ଼ାଇଛି କୋଭିଡ୍ ଟେଷ୍ଟ । କାରଣ କୋଭିଡ ନେଗେଟିଭ୍ ଥିଲେ ଯାଇ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି । ରାପିଡ୍ ଟେଷ୍ଟ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଗ୍ରହଣ କରାଯିବ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ । ସବୁଠୁ ବଡ଼ କଥା ହେଉଛି କରୋନା ଟେଷ୍ଟ ୪୮ ଘଂଟା ଭିତରେ ହୋଇଥିବା ଆବଶ୍ୟକ ।

ଏବେ ପ୍ରଶ୍ନ ଉଠୁଛି, ଥଣ୍ଡା, କାଶ ଓ ଜ୍ୱର ନଥିବା ବ୍ୟକ୍ତି ଜଣେ କାହିଁକି କରୋନା ଟେଷ୍ଟ କରିବ? ଏବେ ଲକ୍ଷଣ ଥିବା ବ୍ୟକ୍ତିଙ୍କର ହିଁ କରୋନା ଟେଷ୍ଟ କରାଯାଉଛି । କରୋନା ଟେଷ୍ଟକୁ ବାଧ୍ୟତାମୂଳକ କଲେ, ବିନା ଲକ୍ଷଣରେ କେବଳ ଶ୍ରୀମନ୍ଦିର ଯିବା ପାଇଁ କରୋନା ଟେଷ୍ଟ କରିବାକୁ ହେବ । ଜଗା ଦର୍ଶନ ପାଇଁ ଆତୁର ହୋଇ ରହିଥିବା କୋଟି କୋଟି ଭକ୍ତଙ୍କୁ ଏହା ଦ୍ୱନ୍ଦ୍ୱରେ ପକାଇଛି ।