କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ପାଇଁ ବିଏମସି ଆଗକୁ ବଢୁଥିବା ବେଳେ ରାଜଧାନୀରେ କେତେ କୁକୁର ଅଛନ୍ତି ତା’ର ହିସାବ ନାହିଁ । କିନ୍ତୁ ଅପରେସନ୍ ଥିଏଟର ପ୍ରସ୍ତୁତ କରାଯାଇଛି, ଏହି କାର୍ଯ୍ୟ ପାଇଁ ଦାୟିତ୍ୱ ମଧ୍ୟ ଦିଆସରିଛି । ହେଲେ ସୁରକ୍ଷିତ ବନ୍ଧ୍ୟାକରଣ ପାଇଁ ଏବେ ବି ଅଧା ରହିଛି ଭିତିଭୂମି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ଏପଟେ ସଂଖୃା ନଜାଣି କେବଳ ଅନୁମାନ ଆଧାରରେ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଥିବାରୁ ବଡ଼ ଦୁର୍ନୀତି ହେବା ଆଶଙ୍କା ମଧ୍ୟ ରହିଛି ।

ରାଜଧାନୀ ଗଳିକନ୍ଦିରେ ବୁଲାକୁକୁର ଉତ୍ପାତ କରୁଥିବା ବେଳେ ହାଇକୋର୍ଟଙ୍କ ରହିତାଦେଶ ଆଳରେ ଦୋଷ ଖସାଇ ଆସୁଥିଲା ବିଏମସି । ଯେତେବେଳେ ବନ୍ଧ୍ୟାକରଣ ନେଇ ହାଇକୋର୍ଟ ରହିତାଦେଶ ହଟାଇଦେଲେ ସେତେବେଳେ ଅସଲ ସମସ୍ୟା ସାମ୍ନାକୁ ଆସିଛି । କୁକୁର ବନ୍ଧ୍ୟାକରଣ ନେଇ ଜୋରଦାର ପ୍ରସ୍ତତି ଆରମ୍ଭ କରିଦେଇଛି ସତ, ହେଲେ ଭୁବନେଶ୍ୱରରେ କେତେ କୁକୁର ଅଛନ୍ତି, ତା’ର ସଠିକ୍ ହିସାବ ନାହିଁ ବିଏମସି ପାଖରେ । କେବଳ ଅନୁମାନ ଆଧାରରେ ୨-୩ ଦିନ ମଧ୍ୟରେ ଆରମ୍ଭ କରିବାକୁ ଯାଉଛି କୁକୁର ବନ୍ଧ୍ୟାକରଣ ।

ଆନୁମାନିକ ଭାବେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୩ ହଜାର କୁକୁର, ଯଦି ରାଜଧାନୀର ଜନସଂଖ୍ୟା ୧୫ ଲକ୍ଷ ହୁଏ, ତେବେ ସେହି ଅନୁପାତରେ କୁକୁର ରହିଥିବେ, ଏପରି ଆକଳନ କରିଛି ଭୁବନେଶ୍ୱର ମହନଗର ନିଗମ । ଏପଟେ ଦିନକୁ ବନ୍ଧ୍ୟାକରଣ ଟାର୍ଗେଟ ୧୦୦ । ୨ ବର୍ଷ ଧରି ଚାଲିବ କୁକୁର ବନ୍ଧ୍ୟାକରଣ କାର୍ଯ୍ୟ । ଏହିପରି ହିସାବ ଲଗାଇ ବିଏମସି ଆଗକୁ ବଢୁଥିବା ବେଳେ ଏ ନେଇ ଅନେକ ପ୍ରଶ୍ନ ଉଠିଛି ।

ବନ୍ଧ୍ୟାକରଣ ପାଇଁ ଗୋଟିଏ କୁକୁରକୁ ୪ ଦିନ ରଖାଯିବ
ହେଲେ ଭୁବନେଶ୍ୱରରେ ମାତ୍ର ୩୦୦ କୁକୁରଙ୍କ ପାଇଁ ରହିଛି ୧୦ଟି କେଭ୍
୧ କୋଟି ଟଙ୍କାରେ ଏହା ନିର୍ମାଣ କରାଯାଇଛି
ତେବେ ୪ ଦିନରେ ୪୦୦ କୁକୁର ରଖିବାକୁ ଜାଗା ନାହିଁ

୨୦୦୮ରୁ କୁକୁର ବନ୍ଧ୍ୟାକରଣ କରି ଆସୁଥିଲା ବିଏମସି । ଭିତିଭୂମି ଅଭାବ ସହ ବନ୍ଧ୍ୟାକରଣ ସୁରକ୍ଷିତ ଭାବେ ହେଉନଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ରହିତାଦେଶ ଉଠିଛି ସତ, କିନ୍ତୁ ବିଏମସିର ପ୍ରସ୍ତୁତି ଏବେ ବି ଅଧା ପନ୍ତରିଆ ଲାଗୁଛି ।
କେତେ କୁକୁର ଅଛନ୍ତି ତା’ର ହିସାବ ନାହିଁ..
ଅନୁମାନରେ କାମ ଆରମ୍ଭ କରିବାକୁ ଯାଉଛି ବିଏମ୍ସି
ଏପଟେ ବନ୍ଧ୍ୟାକରଣ କାର୍ଯ୍ୟ ପାଇଁ ଭେଟ୍ ଫର ଆନିମଲ୍ସକୁ ଟେଣ୍ଡର ଦିଆଯାଇଛି ।
କେବଳ ଭିତ୍ତିଭୂମି ଯୋଗାଇଦେବ ବିଏମସି
କୁକୁର ଧରିବାଠାରୁ ବନ୍ଧ୍ୟାକରଣ କରି ଛାଡ଼ିବା ପର୍ଯ୍ୟନ୍ତ ଦାୟିତ୍ୱ ନେବ ଭେଟ୍ ଫର ଆନିମଲ୍ସ
ପ୍ରତି କୁକୁର ପିଛା ଦିଆଯିବ ୧୬୫୦ ଟଙ୍କା
ତେଣୁ ପ୍ରଶ୍ନ ଉଠୁଛି - ଯଦି କୁକୁରଙ୍କ ସଠିକ୍ ହିସାବ ନାହିଁ, ତେବେ ବନ୍ଧ୍ୟାକରଣ ଆଳରେ ବଡ଼ ଧରଣର ଲୁଟ ପାଇଁ ବାଟ ଖୋଲା ଯାଉନାହିଁ ତ ।