କନକ ବ୍ୟୁରୋ: ପାଖେଇ ଆସୁଛି ଶୀତଳଷଷ୍ଠୀ ଯାତ୍ରା । ଦେବ ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ସବୁଠୁ ବେଶୀ ଚଳଚଂଚଳ ହୋଇଉଠିଛି କନ୍ୟା ପକ୍ଷ ଘର । କଂସାରୀପଡାରେ ଥିବା ଲୋକନାଥ ବାବାଙ୍କ ଶ୍ୱଶୁର ଘର ଲୋକ ମଧ୍ୟ ସମସ୍ତ ପ୍ରସ୍ତୁତି କରୁଛନ୍ତି । ଚଳିତଥର କନ୍ୟା ପିତାମାତା ଭାବେ କଂସାରୀପଡାର ଦେବାଶିଷ ମହାନ୍ତି ଓ ରୀତିମୁକ୍ତା ଦାସ ଏହି ଦାୟିତ୍ୱ ତୁଲାଇଛନ୍ତି । ଝିଅକୂୁ ବାହାଘରରେ ଦେବାପାଇଁ ସୁନାଠାରୁ ଆରମ୍ଭ କରି ରୂପା , କଂସା ବାସନରୁ ନେଇ ପାଟ ଶାଢୀ ପର୍ଯ୍ୟନ୍ତ କିଣାକିଣି ଚାଲିଛି । କୌଣସି ଜିନିଷରେ ଯେଭଳି କିଛି କମ୍ ରହିନଯାଏ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ପରିବାର । ସେହିଭଳି ବେହେରା ପରିବାରକୁ କୁଣିଆ ମାନେ ଏହି ଲୌକିକ ବିବାହକୁ ଦେଖିବାକୁ ଆସିବା ଆରମ୍ଭ କରିଦେଲେଣି ।

Advertisment

ମାଆ ପାର୍ବତୀଙ୍କୁ ଝିଅ ରୂପରେ ପାଇବେ ବୋଲି କେବେ ବି ବିଶ୍ୱାସ କରିନଥିଲେ । ଆଜି ମାତା ପାର୍ବତୀ ତାଙ୍କ ଘରକୁ କନ୍ୟା ଭାବରେ ଆସିଥିବାରୁ ପରିବାରରେ ବେଶ ଖୁସି ହୋଇଛନ୍ତି ସମସ୍ତେ । ଝିଅର ଯେପରି କୌଣସି ଜିନିଷ ଉଣା ନହୁଏ ସେଥିପ୍ରତି ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ଛୋଟରୁ ବଡ ସମସ୍ତ ପ୍ରକାର ଜିନିଷ ଯାହା ବାହାଘରରେ ଆବଶ୍ୟକ ସବୁକିଛି କିଣା ହୋଇ ଆସୁଛି ।

ମାତା ଜଗତଜନନୀଙ୍କୁ କନ୍ୟା ରୂପରେ ପାଇ ପୁରା ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଯାଇଥିବା ବେଳେ ଏବେ ସମସ୍ତଙ୍କର ଅପେକ୍ଷା ସେହି ଶୁଭ ମୁହୁର୍ତକୁ ।