କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ତନାଘନା ଆରମ୍ଭ କରିଛନ୍ତି ।  ବାତ୍ୟାରେ ପ୍ରଭାବିତ ହେବ ବୋଲି ଆକଳନ କରାଯାଉଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରିକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ବାତ୍ୟା ପାଇଁ ଏସବୁ ଜିଲ୍ଲା ଜୋରଦାର ପ୍ରସ୍ତୁତି ଲାଗି ଏସ୍‌ଆର୍‌ସି ନିର୍ଦେଶ ଦେଇଛନ୍ତି।

Advertisment

ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସମସ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କର ଅଧିକାରୀମାନଙ୍କ ଦ୍ୱାରା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଗୁଡିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିଛନ୍ତି । ଆଶ୍ରୟସ୍ଥଳୀ ଗୁଡ଼ିକରେ ବିକଳ୍ପ ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ତଦାରଖ କରାଯାଇଛି । ସ୍ଥାନାନ୍ତର ସମୟରେ ବିଶେଷ କରି ବୃଦ୍ଧବୃଦ୍ଧା, ଅସୁସ୍ଥ ବ୍ୟକ୍ତି, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ପ୍ରସୂତି ଏବଂ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସରକାର ନିର୍ଦେଶ ଦେଇଛନ୍ତି । ସଂପୃକ୍ତ ଅଞ୍ଚଳର ଡାକ୍ତରଖାନାରେ ବିକଳ୍ପ ବିଦ୍ୟୁତ୍‌ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯିବ । ଅଗ୍ନିଶମ ବାହିନୀ, ଓଡ୍ରାଫ୍‍ ଏବଂ ଏନ୍‍ଡିଆର୍‌ଏଫ୍‍ କର୍ମଚାରୀମାନେ ସେମାନଙ୍କର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବା ଲାଗି କୁହାଯାଇଛି। ବାତ୍ୟା ପୂର୍ବ ଓ ପରେ ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍‍ଧତାକୁ ସୁନିଶ୍ଚିତ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ।

ଜିଲ୍ଲାର ମତ୍ସ୍ୟ ଓ ପଶୁ ସଂପଦ ଅଧିକାରୀ ସୁନିଶ୍ଚିତ କରିବେ ଯେ ମତ୍ସ୍ୟଜୀବୀମାନେ ଯେଭଳି ସମୁଦ୍ର ଭିତରକୁ ଯିବେ ନାହିଁ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କ ବସ୍ତିରେ ଜନସଚେତନତା ପାଇଁ ମାଇକ୍‍ ଯୋଗେ ସୂଚନା ପ୍ରଦାନ କରାଯିବ। ଏହାବ୍ୟତୀତ ନଗର ଉନ୍ନୟନ ବିଭାଗ, ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କର ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରସ୍ତୁତ ରହିବା ସହ ରାସ୍ତାଘାଟର ତ୍ୱରିତ ମରାମତି, ପାନୀୟ ଜଳ ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ଶକ୍ତି ବିଭାଗ ତରଫରୁ ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ବିଦ୍ୟୁତ ସରବରାହ ଭିତ୍ତିଭୂମିର ତ୍ୱରିତ ପୁନଃନିର୍ମାଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ କୁଶଳୀ କର୍ମୀ ଦଳ ଓ ଯନ୍ତ୍ରାଂଶ ଗଚ୍ଛିତ ରଖାଯିବାକୁ ନିର୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ଦୂରସଂଚାର ବ୍ୟବସ୍ଥାର ସଠିକ୍‍ କାର୍ଯ୍ୟକ୍ଷମ ରଖିବା ଓ ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଦୂରସଂଚାର ଭିତ୍ତିଭୂମିର ପୁନଃକାର୍ଯ୍ୟକାରୀ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ରିଲିଫ କମିସନର ଏହି ସେବା ପ୍ରଦାନକାରୀ ସଂସ୍ଥା, ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହ ଆଲୋଚନା କରିଥିଲେ । ଉକ୍ତ ସେବାପ୍ରଦାନକାରୀ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୟରେ ମାନବ ସମ୍ବଳ, ଯନ୍ତ୍ରାଂଶ ଓ ସାମଗ୍ରୀ ଆଦି ପ୍ରସ୍ତୁତ ରଖିବାକୁ ସହମତି ପ୍ରକାଶ କରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।