ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ଆଜି ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି, ଗଜପତିଙ୍କ ବଦଳରେ ମୁଦିରସ୍ତ କରିବେ ନୀତି ସମ୍ପାଦନ ।

242

କନକ ବ୍ୟୁରୋ : ଆସନ୍ତାକାଲି ସ୍ନାନପୂର୍ଣ୍ଣିମା । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ସ୍ନାନପୂର୍ଣ୍ଣିମା ନୀତି । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ  କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରିବେ ନାହିଁ ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ସେ ଜଣାଇ ଦେଇଛନ୍ତି । ସେପଟେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ କରାଯିବ, ଏ ନେଇ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ଶତପ୍ରତିଶତ ସେବାୟତ ଓ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି । ଏହାସହ ଜାରି ରହିଛି ଦ୍ୱିତୀୟ ଡୋଜ୍ ଟିକାକରଣ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଳିଆ ସେବାୟତଙ୍କୁ ଦିଆଯାଇଛି ସ୍ନାନପୂର୍ଣ୍ଣିମା ପାସ୍ ।

କରୋନା ଯୋଗୁଁ ଏବର୍ଷ ମଧ୍ୟ ସ୍ନାନବେଦୀରେ ଛେରାପହଁରା କରିବେ ନାହିଁ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ସେ ଜଣାଇ ଦେଇଛନ୍ତି । ପରମ୍ପରା ଅନୁଯାୟୀ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ଚଳିତ ବର୍ଷ ଛେରାପହଁରା କରିବେ । ନାବାଳକ ନାରାୟଣ ମୁଦିରସ୍ତଙ୍କୁ ଏହି ସେବା ମିଳିଥିବାରୁ, ସେ କହିଛନ୍ତି ଏହା ମହାପ୍ରଭୁଙ୍କ ଆଶୀର୍ବାଦ ।

ଆଜି ଦିନ ୧୨ଟା ସୁଦ୍ଧା ଦଇତାପତି ସେବକଙ୍କ ଦ୍ୱାରା ଶ୍ରୀଜୀଉଙ୍କ ସେନାପଟି ନୀତି ଶେଷ ହୋଇଛି । ରାତି ୧୨ଟାରେ ହେବ ମଙ୍ଗଳାର୍ପଣ ନୀତି । ଏହା ପରେ ଆରମ୍ଭ ହେବ ସ୍ନାନଯାତ୍ରା ପାଇଁ ପହଣ୍ଡି ନୀତି । ଏ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିରରେ ନୀତିକାନ୍ତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ।

ଏବେ ନଜର ପକାଇବା ସ୍ନାନଯାତ୍ରା ନୀତିନିର୍ଘଣ୍ଟ ଉପରେ ।

ପହଣ୍ଡି: ରାତି ୧ଟା – ଭୋର ୩ଟା

ସ୍ନାନନୀତି: ସକାଳ ୭ଟା – ସକାଳ ୯ଟା

ହାତୀବେଶ: ଦିନ ୧୧ଟା ସୁଦ୍ଧା ଶେଷ କରିବାକୁ ନିଷ୍ପତି ନିଆଯାଇଛି ।

ବେଶ ଓଲାଗି ଓ ବାହୁଡ଼ା ପହଣ୍ଡି: ଅପରାହ୍ନ ୪ଟା – ଅପରାହ୍ନ ୫ଟା ମଧ୍ୟରେ ଶେଷ ହେବ ।  ଏହା ପରେ ଅଣସର ପିଣ୍ଡିରେ ନୀତି ଆରମ୍ଭ କରାଯିବ ।

କୋଭିଡ କଟକଣା ଯୋଗୁଁ ସମସ୍ତ ସେବାୟତଙ୍କୁ ମାସ୍କ ଓ ସାନିଟାଇଜର ଦିଆଯିବା ସହ କେବଳ ସ୍ନାନଯାତ୍ରା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯାଇଛି । ସେପଟେ ସ୍ନାନଯାତ୍ରାରେ ସାମିଲ ହେଉଥିବା ସେବାୟତ ଓ କର୍ମଚାରୀଙ୍କ ଆରଟିପିସିଆର୍ ଟେଷ୍ଟ କରାଯାଇଛି । ୩ ଦିନରେ ୯୫୯ ଜଣଙ୍କର କରୋନା ପରୀକ୍ଷା କରାଯାଇଛି । ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡିଛି ।

ବିନାଭକ୍ତରେ ସ୍ନାନଯାତ୍ରା କରାଯାଉଥିବାରୁ ଏହାର ସିଧାପ୍ରସାରଣ ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ ।  ସ୍ନାନଯାତ୍ରା ପାଇଁ ଆଜି ରାତି ୧୦ଟାରୁ ୨୫ ତାରିଖ ଭୋର ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିସର ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ଜାରି ହୋଇଛି ୧୪୪ ଧାରା । ଆଇନ ଶୃଙ୍ଖଳା ପାଇଁ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବଡ଼ଦାଣ୍ଡରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।