କେମିତି ଦିଆଯାଏ ଦୋଷୀଙ୍କୁ ଫାଶୀ ? ଜେଲ ଭିତରେ ଫାଶୀ ପୂର୍ବରୁ କଣ କଣ କରାଯାଏ ? ପଢନ୍ତୁ ଫାଶୀର ପୂରା ପ୍ରକ୍ରିୟା ।

6,598

କନକ ବ୍ୟୁରୋ : କେମିତି ଦିଆଯାଏ ଫାଶୀ ? ଫାଶୀ ପୂର୍ବରୁ କଣ ହୁଏ ? ଫାଶୀ ପରେ କଣ ହୁଏ ? ଫାଶୀ କୋଠରୀରେ କଣ କରାଯାଏ ? ଫାଶୀ ଦେଲାବେଳେ କିଏ କିଏ ସାକ୍ଷୀ ରୁହନ୍ତି ? ଏକାଥରେ ୪ ଜଣଙ୍କୁ କେବେ ଫାଶୀ ହୋଇଛି କି ? ଏମିତି ଅନେକ ପ୍ରଶ୍ନ ଏବେ ସାରା ଦେଶରେ ଉଙ୍କି ମାରୁଛି ।

ଲିବର ଟଣା ହେବ, କାଠ ପଟା ଗଳିପଡିବ, ବେକରେ ଜାରିଯିବ ଫାଶୀ ଦଉଡି… ଆଉ ତାପରେ ଫାଶୀ ଖୁଣ୍ଟରେ ଝୁଲିବ ପୂରା ଶରୀର । ପାଦ ମାଟିରେ ଲାଗିବନି କି ପାଦ ତଳେ କିଛି ଥିବନି… ସମ୍ପୂର୍ଣ୍ଣ ଶୂନ୍ୟରେ ଝୁଲିବ ଦୋଷୀର ମୃତଦେହ… କଣ ଏହାକୁ କୁହାଯାଏ ଫାଶୀ ? କଣ ଏମିତି ଦିଆଯାଏ ଫାଶୀଦଣ୍ଡ ?

ତେବେ ଫାଶୀ ଖୁଂଟରେ ଝୁଲିବା ଏତେ ସହଜ ହୋଇନଥାଏ । ଜେଲରେ ଅପରାଧୀକୁ ଫାଶୀ ଦେବା ପୂର୍ବରୁ ଜେଲ କର୍ମଚାରୀ ଅନେକ କସରତ କରନ୍ତି । ଜେଲ ମାନୁଆଲ, ମାନବିକ ଅଧିକାର ଓ ଆଇନ କାନୁନକୁ ଦେଖି ପ୍ରସ୍ତୁତ ହୁଏ ଫାଶୀ ଦେବାର ନୀଳ ନକ୍ସା । ଏଥିପାଇଁ ତିନି ଚାରିଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ ହୋଇଯାଏ । କଏଦୀର ଉଚ୍ଚତା ଏବଂ ଓଜନକୁ ଦେଖି ସଜଡା ହୁଏ ମୃତ୍ୟୁର ଖୁଂଟ । ଫାଶୀ ଦେବାକୁ ଥିବା ଦଉଡିରେ ସାଧାରଣତଃ ତିନିଟି ଗଣ୍ଠି ଥାଏ । ହେଲେ ଅପରାଧୀର ଓଜନ ଅଧିକ ଥିଲେ ଏହି ଗଣ୍ଠି ସଂଖ୍ୟା ବଢାଇଦିଆଯାଏ । ଶୀଘ୍ର ଅପରାଧୀର ଜୀବନ ଚାଲିଯିବା ପାଇଁ ଫାଶୀ ଖୁଂଟର ଉଚ୍ଚତା ବଢାଯାଇଥାଏ ।

ଖାଲି ଖୁଣ୍ଟ ନୁହେଁ ଫାଶୀ ଦେବା ପୂର୍ବରୁ ଦଉଡିର ମାନ ବି ଯାଞ୍ଚ ହୁଏ । କାରଣ ସାମାନ୍ୟ ଭୁଲ ହେଲେ ଅପରାଧୀର ମୁଣ୍ଡ ଓ ଶରୀର ଅଲଗା ହେବାର ଆଶଙ୍କା ରହିଥାଏ । ଏଣୁ ବେଶ ସତର୍କତା ଆପଣେଇ ଥାଆନ୍ତି ଜେଲ କର୍ତ୍ତୃପକ୍ଷ ।

ସେପଟେ ବ୍ଳାକ ୱାରେଂଟ ମିଳିବା ପରେ କାଳ କୋଠରୀକୁ ଦୋଷୀର ଯାତ୍ରା ଆରମ୍ଭ ହୋଇଯାଏ । ଜେଲରେ ସାଧାରଣତଃ ଧଳା ପାଇଜାମା ପିନ୍ଧୁଥିବା ଅପରାଧୀ ପାଇଁ କଟକଣା ଜାରି ହୋଇଯାଏ । ମୃତ୍ୟୁର ପରୱାନା ଧରାଇ ଅପରାଧୀକୁ ଡେଥ ସେଲ ବା ମୃତ୍ୟୁର କୋଠରୀକୁ ସ୍ଥାନାନ୍ତର କରାଯାଏ । ମୃତ୍ୟୁର କୋଠରୀରେ ଦିନ ରାତି ସୁରକ୍ଷାକର୍ମୀ କଏଦୀକୁ ଜଗି ରୁହନ୍ତି । ଏମିତିକି ୨୪ଘଂଟିଆ ସିସିଟିଭି ନଜରରେ ରୁହନ୍ତି ଅପରାଧୀ ।

ଫାଶୀ ପାଇବାକୁ ଥିବା ଅପରାଧୀ ଡେଥ ସେଲରେ ପହଁଚିବା ପରେ ପ୍ୟାଂଟରେ ଡୋର ବାନ୍ଧିବାର ବି ଅନୁମତି ନଥାଏ । କାରଣ ଡୋର ସାହାଯ୍ୟରେ ଅପରାଧୀ ଜେଲରେ ଆତ୍ମହତ୍ୟା କରିପାରେ । ଏଣୁ ମୃତ୍ୟୁ ପୂର୍ବରୁ ଯେଭଳି କୈାଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଅନେକ କଟକଣା ଜାରି ହୁଏ । ମୃତ୍ୟୁର ପରୱାନା ଦେବା ଠାରୁ ଫାଶୀ ଖୁଂଟରେ ଝୁଲିବା ପର୍ଯ୍ୟନ୍ତ ଅପରାଧୀକୁ ୧୪ ଦିନ ସମୟ ଦିଆଯାଏ । ଶେଷ ଇଚ୍ଛା ପୁରଣ ସହ ପରିବାର ଲୋକଙ୍କୁ ଭେଟିବା…ସବୁ କିଛି ଏହି ସମୟ ଭିତରେ ହିଁ କରାଯାଏ ।

ଫାଶୀ ପାଇବା ଦିନ ବଡି ଭୋରରୁ ଦୋଷୀକୁ ଉଠାଇ ଦିଆଯାଏ । ଚା ସହ ଜଳଖିଆ ବି ଦିଆଯାଏ । ଆଉ ବଦଳି ଯାଏ ଦୋଷୀର ପରିଧାନ । ଧଳା ପାଇଜାମା ବଦଳରେ କଳା ପୋଷାକ ଅପରାଧୀକୁ ପିନ୍ଧାଇ ଦିଅନ୍ତି ଜେଲ କର୍ମଚାରୀ । ହାତକୁ ପଛପଟୁ ବାନ୍ଧି ଦିଆଯାଇଥାଏ । ଆଉ ଫାଶୀ ଖୁଂଟ ଆଡକୁ ଟଣାହୁଏ । ଫାଶୀ ଦେବା ପୂର୍ବରୁ ଦୋଷୀର ହାତ ସହ ଗୋଡ ବି ବାନ୍ଧି ଦିଆଯାଏ । ମୁହଁରେ କଳାପଟି ବାନ୍ଧିବା ପରେ ଅପରାଧୀଙ୍କୁ ଫାଶୀ ଖୁଂଟରେ ଝୁଲାଇଦିଆଯାଏ ।

ତେବେ ଯେଉଁ ଜେଲରେ ଫାଶୀ ଦିଆଯାଏ ସେଦିନ ସେହି ଜେଲର ପୂରା କାମ ବନ୍ଦ ରହେ । ଫାଶୀ ଦେବା ବେଳେ କେହି ବି କଥାବାର୍ତ୍ତା କରନ୍ତି ନାହିଁ । ସବୁ କାମ ବନ୍ଦ କରାଯାଏ । ସବୁଦିନ ପାଇଁ ଅପରାଧୀର କଳା କାହାଣୀ ଶେଷ କରିବା ପରେ ପୂର୍ବଭଳି ଆରମ୍ଭ ହୁଏ ଜେଲର କାର୍ଯ୍ୟ ।