ମେ’ ୨୩ରେ ଭୋଟ ଗଣତି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କଲେ ସମୀକ୍ଷା, ବାତ୍ୟା ଯୋଗୁଁ ପ୍ରଭାବିତ ହୋଇନାହିଁ ଇଭିଏମ୍ ।

614

କନକ ବ୍ୟୁରୋ : ଆସନ୍ତା ୨୩ରେ ଦେଶ ଓ ରାଜ୍ୟର ରାଜନୈତିକ ଭବିଷ୍ୟତ ସହ ହେବାକୁ ଯାଉଛି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ବାତ୍ୟା ଫୋନି ପାଇଁ ଶିଥିଳ ହୋଇ ପଡ଼ିଥିବା ରାଜନୈତିକ ବାତାବରଣ ପୁଣିଥରେ ସରଗରମ ହେବାକୁ ଯାଉଛି । ମତଗଣନା କିଭଳି ସୁରୁଖୁରୁରେ ହେବ ସେନେଇ ଆରମ୍ଭ ହେଲା ପ୍ରସ୍ତୁତି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ବସିଥିଲା । ଯେଉଁଥିରେ ମାଷ୍ଟର ଟ୍ରେନରଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଆସନ୍ତା ୧୩ ଓ ୧୪ ତାରିଖରେ ୩୦ ଜଣ ଜିଲ୍ଲାପାଳ ଅର୍ଥାତ୍ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ ଦିଆଯିବ । ସେହିପରି ୧୫ରୁ ୧୯ ତାରିଖ ଯାଏଁ ଇଭିଏମ, ଭିଭିପ୍ୟାଟ ଓ ପୋଷ୍ଟାଲ ବ୍ୟାଲଟ ଗଣତି ସଂପର୍କରେ ରହିଛିି ଜିଲ୍ଲା ସ୍ତରୀୟ ଟ୍ରେନିଂ କାର୍ଯ୍ୟକ୍ରମ ।

ସେପଟେ ବାତ୍ୟା ଯୋଗୁଁ ଇଭିଏମ ଓ ଭିଭିପ୍ୟାଟ ସୁରକ୍ଷା ନେଇ ଯେଉଁ ସଂଦେହ ଥିଲା, ତାକୁ ଦୂର କରିଛନ୍ତି ନିର୍ବାଚନ ଅଧିକାରୀ । କେବଳ ପୁରୀର ଷ୍ଟ୍ରଙ୍ଗ ରୁମର ବାଉଣ୍ଡ୍ରି ଭାଂଗିଛି, ଅନ୍ୟ ସବୁ ସ୍ଥାନରେ ଇଭିଏମ୍ ସୁରକ୍ଷିତ ରହିଥିବା କହିଛନ୍ତି ସିଇଓ । ପୁରୀର ଷ୍ଟ୍ରଙ୍ଗ ରୁମର ସୁରକ୍ଷା ପାଇଁ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇଛି । ଆସନ୍ତା ୧୯ ତାରିଖରେ ଅର୍ଥାତ୍ ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନରେ ଓଡିଶାର କିଛି ସ୍ଥାନରେ ହୋଇପାରେ ରିପୋଲିଂ । ତୃତୀୟ ପର୍ଯ୍ୟାୟର ୧୨ଟି ବୁଥ ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ ସହ ମୋଟ ୩୪ଟି ବୁଥରେ ସାନି ମତଦାନ ହେବାର ରହିଛି ।