ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଔପଚାରିକ ଭାବେ ଭଙ୍ଗ ହେବ ରାଜ୍ୟ ବିଧାନସଭା । ଆଜି ବସିବ କ୍ୟାବିନେଟ ବୈଠକ

189

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ଆସିବାକୁ ଆଉ ଅଳ୍ପ ଦିନ ବାକି ଅଛି । କିଏ ନୂଆ ସରକାର ଗଢିବ ତାହା ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ । କିନ୍ତୁ ଏହା ପୂର୍ବରୁ ଆଜି ଔପଚାରିକ ଭାବେ ଭଙ୍ଗ ହେବ ରାଜ୍ୟ ବିଧାନସଭା । ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ବୈଠକରେ ପଂଚଦଶ ବିଧାନସଭା ଭଙ୍ଗ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସୁପାରିଶ କରାଯିବାର ପ୍ରସ୍ତାବ ରହିଛି । ତେବେ ନୂଆ ସରକାର ଗଠନ ପୂର୍ବରୁ ବିଧାନସଭା ଭଙ୍ଗ କରିବାର ବ୍ୟବସ୍ଥା ରହିଛି । ଏହାସହିତ ବାତ୍ୟା ଫୋନି ବିପନ୍ନଙ୍କୁ ସହାୟତା ପ୍ୟାକେଜ ବାବଦରେ ବି ବୈଠକରେ ଆଲୋଚନା ହେବ ।

ଆସନ୍ତା ୨୩ରେ ଦେଶ ତଥା ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି । ତେବେ ନୂଆ ସରକାର କେବେ ଶପଥଗ୍ରହଣ କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କେବଳ ପାଟକୁରାକୁ ଛାଡିଦେଲେ ବାକି ରାଜ୍ୟରେ ୧୪୬ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଏହାପୂର୍ବରୁ ଗତଥର ୨୦୧୪ ସାଧାରଣ ନିର୍ବାଚନର ଭୋଟଗଣତି ମେ ମାସ ୧୬ ତାରିଖରେ ହୋଇଥିଲା। ତାର ଦୁଇ ଦିନ ପରେ ଭାରତ ନିର୍ବାଚନ କମିସନ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଭୋଟଗଣତି ପୂର୍ବରୁ ମେ ୮ ତାରିଖ ଦିନ ଚତୁର୍ଦ୍ଦଶ ବିଧାନସଭା ଭଙ୍ଗ ନେଇ ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବ ପାରିତ କରିଥିଲା। ପରେ କ୍ୟାବିନେଟର ପ୍ରସ୍ତାବକୁ ତତ୍କାଳିନ ରାଜ୍ୟପାଳ ମେ ୧୩ ତାରିଖରେ ଅନୁମୋଦନ କରିଥିଲେ। ୨୦୧୪ ମେ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ଶପଥ ନେଇଥିଲେ। ଚଳିତଥର କିଏ ଏହି ମୁଖ୍ୟମନ୍ତ୍ରୀ ଆସନରେ ବସିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।