ଆସନ୍ତାକାଲି ଜନ୍ମାଷ୍ଟମୀ: ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି, ସେପଟେ ଫୁଲବାଣୀରେ ଜନ୍ମାଷ୍ଟମୀ ନେଇ ସୁରକ୍ଷା କଡାକଡି

270

କନକ ବ୍ୟୁରୋ: ଆସନ୍ତାକାଲି ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓ ସାରା ଦେଶରେ ପାଳନ କରାଯାଏ କୃଷ୍ଣ ଜନ୍ମ । ହିନ୍ଦୁ ପରମ୍ପରା ଅନୁସାରେ ଶ୍ରୀମନ୍ଦିର ସହିତ ମଠ ମନ୍ଦିର ଓ ଘରମାନଙ୍କର ଖୁବ ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମ ପାଳନ କରାଯାଏ । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାରମାସର ତେର ଯାତ୍ରାରେ ହରି ଜନ୍ମାଷ୍ଟମୀ ଏକ ସ୍ୱତନ୍ତ୍ର ଉତ୍ସବ ।

ଏହି ଦିନ ଶ୍ରୀଜଗନ୍ନାଥଙ୍କର ସଂନ୍ଧ୍ୟା ଧୂପ ପରେ ଭିତର କାଠ ନିକଟରେ ଜଗନ୍ନାଥଙ୍କ ଆଜ୍ଞାମାଳ ଆସିବା ପରେ ଭଦ୍ରାସନ ଉପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ପୁରୀ ସହରର ବିଭିନ୍ନ ମଠମାନଙ୍କରେ ଭଜନ କୀର୍ତନ କରାଯାଇ ଭ୍କ୍ତମାନେ ଉପବାସ ରହି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବ୍ରତ କରିଥାନ୍ତି । ବିଶେଷକରି ଗୌଡିୟ ମଠମାନଙ୍କରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ ଧାମଧାମରେ ପାଳନ ହୋଇଥାଏ ।

ଜନ୍ମାଷ୍ଟମୀ ପାଇଁ କନ୍ଧମାଳ ସୁରକ୍ଷା ଛାଉଣୀ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଲାଗି ପୋଲିସ ମୁତୟନ ହୋଇଛନ୍ତି । ୨୦୦୮ ମସିହାରେ ଜନ୍ମାଷ୍ଟମୀ ଦିନ ତୁମୁଡିବନ୍ଧର ଜଲେଶପେଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ କନ୍ଧମାଳରେ ଦଙ୍ଗା ପରିସ୍ଥିତି ସୃଷି ହୋଇଥିଲା ।

ଜିଲ୍ଲାରେ ପ୍ରତ୍ୟେକ ଛକରେ ଯାଂଚକୁ କଡାକଡି କରାଯିବା ସହ ସମସ୍ତ ଥାନା ଆଲର୍ଟରେ ରହିଛନ୍ତି । ଜଲେଶପେଟ୍ଟା ଓ ଚକାପାଦ ଆଶ୍ରମରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ଜଲେଶପେଟ୍ଟା ଓ ଚକାପାଦ ଆଶ୍ରମରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କାଲି ସକାଳେ ଶୋଭାଯାତ୍ରା ବାହାରିବା ସହ ହୋମଯଜ୍ଞର ଆୟୋଜନ କରାଯିବ ।