ପୁରୁଷ ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ: ଦର୍ଶକ ଗ୍ୟାଲେରୀ, ସମେତ ସରିଲା ଖେଳାଳି କ୍ୟାବିନର ପ୍ରସ୍ତୁତି

96

କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପ ପାଇଁ ସଜେଇ ହେଉଛି ରାଜଧାନୀ । ସେହିପରି ବିଶ୍ୱକପ୍ ପାଇଁ ହାତରେ ସମୟ ଅଳ୍ପ ଥିବାରୁ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଦର୍ଶକ ଗ୍ୟାଲେରୀ, ସମେତ ଖେଳାଳି କ୍ୟାବିନର ପ୍ରସ୍ତୁତି ଶେଷ ହୋଇଛି ।

ଅନ୍ୟପଟେ, ହକି ମହାକୁମ୍ଭରେ ରାଜଧାନୀରେ ଜମିବ ଷ୍ଟାର ନାଇଟ । ଉଦଘାଟନୀ ଉତ୍ସବରେ ଶାହାରୁଖ୍ ଓ ଏଆର୍ ରେହେମାନଙ୍କ ଜଲୱାରେ ଦର୍ଶକ ଝୁମିବେ । ଏ.ଆର.ରେହମାନ୍ ଓ ପରିଚିତ ଗୀତିକାର ତଥା ନିର୍ଦ୍ଦେଶକ ଗୁଲଜାର୍ଙ୍କୁ ଅତି ପାଖରୁ ଦେଖିବାକୁ ମିଳିବ । ଏହା ପୂର୍ବରୁ ଆଜି ଆସିବ ରେହମାନ ପ୍ରସ୍ତୁତ କରିଥିବା ଥିମ୍ ସଙ୍ଗର ଟିଜର । ଦର୍ଶକଙ୍କ ଉତ୍ସାହକୁ ଦେଖି ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ ଓ ୨୮ରେ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ସେହିପରି ଉଦଘାଟନୀ ଉତ୍ସବ ପାଇଁ ଟିକେଟ କାଉଁଟର କିମ୍ବା ଅଫଲାଇନରେ ନ ବିକି ଅନଲାଇନରେ ବିକ୍ରି କରିବାକୁ ନିଷ୍ପତି ହୋଇଛି । ଏପରି କି କାହାକୁ ପାସ ଦିଆଯିବ ନାହିଁ ବୋଲି ଜଣାପଡିଛି ।

 

ସେପଟେ ପୁରୁଷ ହକି ବିଶ୍ୱକପ୍ ପାଇଁ ପାକିସ୍ତାନକୁ ମିଳିଛି ଭିସା । ପ୍ରାୟୋଜକ ଓ ଭିସା ସମସ୍ୟା କାରଣରୁ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପରେ ଚାରି ଚାରି ଥରର ବିଶ୍ୱ ଚାମ୍ପିୟନ୍ ପାକିସ୍ତାନ ଯୋଗଦେବା ନେଇ ଯେଉଁ ସନ୍ଦେହ ଉପୁଜିଥିଲା, ତାହା ଦୂର ହୋଇଛି । ଭାରତୀୟ ହାଇ କମିଶନ ପାକିସ୍ତାନ ଖେଳାଳିଙ୍କୁ ଭିସା ଇସ୍ୟୁ କରିସାରିଥିବା ବେଳେ ଟିମର ନୂତର ପ୍ରାୟୋଜକ ବିଶ୍ୱକପରେ ଅଂଶଗ୍ରହଣ ଲାଗି ୯ମିଲିୟନ ଟଙ୍କା ପ୍ରଦାନ କରିଛି । ଏହି ଟଙ୍କା ଖେଳାଳି ଓ ଅଫିସିଆଲଙ୍କ ଦୈନିକ ଖର୍ଚ୍ଚ ଭରଣା କରିବାରେ ସହାୟକ ହେବ । ତେବେ ଦଳର କୋଚ୍ମାନଙ୍କୁ ଖୁବଶୀଘ୍ର ଭିସା ଦିଆଯିବ ବୋଲି ଭାରତୀୟ ହାଇକମିଶନଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି ।