ରାତି ପାହିଲେ ରଜ: ପର୍ବ ପାଳନ ପାଇଁ ଗାଁଠୁ ସହର, ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି  

332

କନକ ବ୍ୟୁରୋ: ରାତି ପାହିଲେ ପହିଲି ରଜ । ରଜ ପାଇଁ ଏବେଠୁ ଜମିଲାଣି ରଜ ଆସର । ଚଳିତବର୍ଷ ରଜପର୍ବ ପାଳନ ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ୱର ପାନ୍ଥନିବାସରେ ବ୍ୟାପକ ଆୟୋଜନ କରାଯାଇଛି । ରଜ ଉପଲକ୍ଷେ ରଜ ପାନ, ମେହେନ୍ଦୀ ସହ ନିଆରା ପରିବେଶ ଭେଟି ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଓଟିଡିସି । ପାନ୍ଥ ନିବାସରେ ହେବାକୁ ଥିବା ରଜ ମହୋତ୍ସବ ବୁଧବାର ଠାରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ । ଏଠାରେ ଲୋକଙ୍କ ପାଇଁ ପୋଡ଼ ପିଠା, କାକରା ପିଠା, ରଜପାନ ସହ ବିଭିନ୍ନ ପ୍ରକାରର ମିଠା ଓ ମିଠା ବିକ୍ରି ହେବ । ସେହିପରି ଯେଉଁମାନେ ପାନ୍ଥନିବାସ ଆସି ପାରୁନାହାଁନ୍ତି, ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ପିଠା ଅନ୍ ହ୍ୱିଲ୍ ହାତକୁ ନିଆଯାଇଛି । ଏହି ପିଠାଗାଡ଼ି ସହରର ବିଭିନ୍ନ ସ୍ଥାନରେ ବୁଲି ରଜ ପିଠା ପହଂଚାଇବ । ଗତବର୍ଷ ଭଳି ଏଥର ବି ପିଠା ଦର ସମାନ ରହିଛି । ପୋଡ଼ ପିଠା କିଲୋ ପିଛା ୪ଶହ ଟଙ୍କା ରଖାଯାଇଥିବା ବେଳେ କାକରା ମଣ୍ଡା ପିଠା ଗୋଟାକୁ ୨୦ ଟଙ୍କା ରଖାଯାଇଛି ।