ଲୋକସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର କସରତ ! ଦେଖିବାକୁ ମିଳିପାରେ ନୂଆ ମୁହଁ, ବିଜେଡି କରୁଛି ତନାଘନା । 

176

କନକ ବ୍ୟୁରୋ : ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଦକ୍ଷିଣ ଓଡିଶାର ବ୍ରହ୍ମପୁର, ନବରଙ୍ଗପୁର ଏବଂ କୋରାପୁଟ ସମେତ ପଶ୍ଚିମ ଓଡିଶାର କଳାହାଣ୍ଡିରେ ମତଦାନ ହେବ । ଏସବୁ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ଶିବିରରେ ପ୍ରାର୍ଥୀ ଚୂଡାନ୍ତ ଚାଲିଛି । ଆସନ୍ତୁ ଜାଣିବା ଏସବୁ ନିର୍ବାଚନ ମଣ୍ଡଳୀରେ କାହା ସହ କାହାର ଲଢେଇ ହେବା ସମ୍ଭାବନା ରହିଛି ।

ବ୍ରହ୍ମପୁରରେ ବିଜେଡିର ପ୍ରାର୍ଥୀ କିଏ?

ବ୍ରହ୍ମପୁର ଲୋକସଭା ଆସନ ପାଇଁ ବର୍ତମାନର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପୁଣି ଟିକେଟ୍ ଦେଇପାରେ ବିଜେଡି । ତେବେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ସେହିପରି ନିକଟରେ ବିଜେଡିରେ ସାମିଲ ହୋଇଥିବା ପାରଳା ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ନାଁ ବି ବ୍ରହ୍ମପୁର ଲୋକସଭା ଆସନ ପାଇଁ ଶୁଣାଯାଉଛି ।

ସେପଟେ ପ୍ରଶ୍ନ ଉଠୁଛି କିଏ ହେବ କଂଗ୍ରେସର ପ୍ରାର୍ଥୀ ? ଭୃଗୁଙ୍କୁ ବିଜେପି ଦେବ କି ଟିକେଟ୍? ବ୍ରହ୍ମପୁର ଲୋକସଭା ଆସନ ପାଇଁ କଂଗ୍ରେସ, ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ଟିକେଟ୍ ଦେବା ସମ୍ଭାବନା ଅଧିକ । ଏପରିକି ନାଇଡୁଙ୍କ ନାଁରେ ପିସିସି ମୋହର ମାରିବା ସହ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ତାଙ୍କ ନାଁକୁ ଚୂଡାନ୍ତ କରିସାରିଥିବା କୁହାଯାଉଛି । ସେପଟେ ବିଜେପି, ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକସଭା ପାଇଁ ମୈଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ନବରଙ୍ଗପୁରରେ କିଏ ହେବ ବିଜେଡି ପ୍ରାର୍ଥୀ ? କଂଗ୍ରେସରୁ ଲଢ଼ିପାରନ୍ତି ପ୍ରଦୀପ ମାଝି । ସାଂସଦ ବଳଭଦ୍ର ମାଝିଙ୍କୁ ବିଜେଡି ପୁଣି ଥରେ ନବରଙ୍ଗପୁର ଲୋକସଭା ଟିକେଟ୍ ଦେବା ନେଇ ଚର୍ଚ୍ଚା ହେଉଛି । ଏପଟେ ଝରିଗାଁ ବିଧାୟକ ତଥା ମନ୍ତ୍ରୀ ରମେଶ ମାଝି ବି ଦୌଡରେ ରହିଛନ୍ତି । କଂଗ୍ରେସ ପାଇଁ କିନ୍ତୁ ନବରଙ୍ଗପୁର ଆସନ ନେଇ ଦ୍ୱନ୍ଦ୍ୱ ନାହିଁ । କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କୁ ଦଳ ଲୋକସଭା ଟିକେଟ୍ ଦେବା ନେଇ ଚୂଡାନ୍ତ ହୋଇସାରିଥିବା ଶୁଣାଯାଉଛି ।

କୋରାପୁଟରେ ମହିଳା ପ୍ରାର୍ଥୀ ଦେବ ବିଜେଡି ? କଂଗ୍ରେସରୁ ଲଢିବେ କି ପୂର୍ବତନ ମନ୍ତ୍ରୀଙ୍କ ପୁଅ ? ବିଜେପିରୁ ଜୟରାମ ପାଙ୍ଗୀଙ୍କ ଟିକେଟ୍ ପକ୍କା ? କୋରାପୁଟ ଲୋକସଭା ଆସନ ପାଇଁ ବିଜେଡି ସାଂସଦ ଝିନ୍ନ ହିକକାଙ୍କ ନାଁ ଚର୍ଚାରେ ରହିଛି । ତେବେ ଏହି ଆସନରୁ ମହିଳା ପ୍ରାର୍ଥୀ ଭାବେ ଝିନ୍ନଙ୍କ ସ୍ତ୍ରୀ କୌଶଲ୍ୟାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରି ଉଲ୍ଲାକାଙ୍କୁ କୋରାପୁଟରୁ ପ୍ରୋଜେକ୍ଟ କରିପାରେ କଂଗ୍ରେସ । ସେହିପରି ଶଙ୍ଖ ଛାଡି ପଦ୍ମ ଧରିଥିବା ଜୟରାମ ପାଙ୍ଗୀଙ୍କୁ ବିଜେପି କୋରାପୁଟରୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ।

କିଏ ହେବ ବିଜେଡିର କଳାହାଣ୍ଡି ପ୍ରାର୍ଥୀ ? ମୈଦାନରେ କଂଗ୍ରେସର ଭକ୍ତ ଦାସ, ବିଜେପିର ପ୍ରଦୀପ୍ତ ? ସାଂସଦ ଅର୍କକେଶରୀ ସିଂଦେଓଙ୍କୁ ବିଜେଡି ଏଥର କଳାହାଣ୍ଡି ବିଧାନସଭା ଟିକେଟ୍ ଦେବା ନେଇ ଚର୍ଚ୍ଚା ହେଉଛି । ସେହିପରି ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଓ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ବି ଶୁଣାଯାଉଛି । କଳାହାଣ୍ଡି ଆସନରୁ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଓ ମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ଟିକେଟ୍ ଦେଇପାରେ କଂଗ୍ରେସ । ସେପଟେ ବିଜେପି ପ୍ରଦୀପ୍ତ ନାୟକଙ୍କୁ କଳାହାଣ୍ଡି ବିଧାନସଭା ଟିକେଟ୍ ଦେବା ନେଇ ଚର୍ଚା ହେଉଛି ।