୧୯୯୯ ମହାବାତ୍ୟା ପରେ ଓଡିଶାରେ ଲ୍ୟାଣ୍ଡଫଲ୍ କରିବ ସବୁଠୁ ବଡ ବାତ୍ୟା! ଜାଣନ୍ତୁ କିଭଳି ସଜାଗ ରହିଛନ୍ତି ସରକାର ଓ ସେନା ।

641

କନକ ବ୍ୟୁରୋ : ୧୯୯୯ ମହାବାତ୍ୟା ପରେ ପୁଣିଥରେ ଆଉ ଏକ ବଡ ବାତ୍ୟାର ସାକ୍ଷୀ ପାଲଟିବାକୁ ଯାଉଛି ଓଡିଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଫୋନି ଭୟଙ୍କର ରୂପ ଧରି ଓଡିଶା ଉପକୂଳ ଆଡକୁ ମାଡି ଆସୁଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ବାତ୍ୟା ଫୋନି ପୁରୀ ଠାରେ ଲ୍ୟାଣ୍ଡଫଲ୍ କରିବ । ଏହାପୂର୍ବରୁ ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ଫୋନିକୁ ନେଇ ବଡ ବୟାନ ଦେଇଛି । ୧୯୯୯ରେ ଓଡିଶାରେ ଧ୍ୱଂସର ତାଣ୍ଡବଲୀଳା ରଚିଥିବା ମହାବାତ୍ୟା ପରେ ଫୋନି ସବୁଠୁ ବଡ ବାତ୍ୟା ଭାବେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବାକୁ ଯାଉଛି ।

ଏହି ଭୟଙ୍କର ବାତ୍ୟା ୧୧ଟି ଜିଲ୍ଲାରେ ନିଜର ସାଂଘାତିକ ପ୍ରକୋପ ଦେଖାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସର୍ତକ କରାଯାଇଛି । ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଗଜପତି, ମୟୂରଭଞ୍ଜ, ଗଞ୍ଜାମ,ଖୋର୍ଦ୍ଧା, କଟକ ଓ ଯାଜପୁରରେ ଫୋନି ନିଜର ଫଣା ମେଲାଇବ । ଏହାଛଡା ରାଜ୍ୟର ଆଉ କିଛି ଜିଲ୍ଲାରେ ମଧ୍ୟ ଫୋନିର ପ୍ରଭାବ ଦେଖିବାକୁ ମିଳିବ । ଯେଉଁଥିପାଇଁ ଏହି ଜିଲ୍ଲା ଗୁଡିକ ଉପରେ ମଧ୍ୟ ସର୍ତକ ଦୃ୍ଷ୍ଟି ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଫୋନି ଲ୍ୟାଣ୍ଡଫଲ କରିବା ପୂର୍ବରୁ ଏହି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଯାହା ଏବେଠୁ ଆରମ୍ଭ ହୋଇ ସାରିଛି । ଏହାବାଦ୍ ଫୋନି ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ । ଏପରିକି କିଛି ସ୍ଥାନରେ ଏହା ୨୦୦ କିଲୋମିଟର ପାର କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ତେଣୁ ଫୋନି ଲ୍ୟାଣ୍ଡଫଲ୍ କରିବା ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।

ଫୋନି ପାଇଁ ପ୍ରସ୍ତୁତି :
– ପୁରୀ ଉପକୂଳରେ ଫୋନି ପହଞ୍ଚିବା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ତତ୍ପର ହୋଇ ଉଠିଛନ୍ତି । ବାତ୍ୟା ଫୋନି ପାଇଁ ଭାରତୀୟ ବାୟୁସେନା ଓ ନୌସେନାକୁ ଆଲର୍ଟ କରାଯାଇଛି । ଏହାଛଡା ଏନଡିଆରଏଫ ଓ ଓଡିଆରଏଫ ଟିମକୁ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ମୁତୟନ କରାଯାଇଛି ।

– ସମସ୍ତ ସ୍କୁଲ ଓ କଲେଜକୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ପାଖାପାଖି ୧୧ ଲକ୍ଷ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

– ଏନଡିଆରଏଫର ୨୮ଟି ଟିମକୁ ଓଡିଶାରେ ନିୟୋଜିତ କରାଯାଇଥିବା ବେଳେ ୩୦ ଟିମକୁ ଷ୍ଟାଣ୍ଡବାଇରେ ରଖାଯାଇଛି । ବାତ୍ୟା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏମାନଙ୍କୁ ପ୍ରଭାବିତ ଅଞ୍ଚଳକୁ ଛଡାଯିବ ।

– ଫୋନିର ମୁକାବିଲା ପାଇଁ ବାୟୁସେନାର ଚେତକକୁ ମଧ୍ୟ ପ୍ରଭାବିତ ଅଞ୍ଚଳରେ ରିଲଫ୍ ପାଇଁ ମୁତୟନ କରାଯିବ ।

– ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ମଧ୍ୟ ଭୁବନେଶ୍ୱର ଓ ପୁରୀ ଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି ।