ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, କାଲି ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ
କନକ ବ୍ୟୁରୋ : ନିଜ ମାଟିର ମଣିଷ, ଦେଶର ପ୍ରଥମ ନାଗରିକଙ୍କ ସ୍ୱାଗତ ଅପେକ୍ଷାରେ ମୟୂରଭଂଜ ଜିଲ୍ଲା ପ୍ରଶାସନ । ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଂଜ ଗସ୍ତରେ ଆସୁଛନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ୩ ଘଂଟା ଆଗୁଆ ଆସିବେ ରାଷ୍ଟ୍ରପତି । ସୋମବାର ଦିନ ୨ଟା୨୦ମିନିଟ୍ରେ ପହଂଚିବା ପରିବର୍ତ୍ତେ ଦିନ ୧୧ଟା ୨୫ମିରେ ବାରିପଦାରେ ପହଂଚିବେ । ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨.୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩.୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ୨୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସେଭଳି କୌଣସି ପରିବର୍ତନ ହୋଇନାହିଁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଲାଗି ଜିଲ୍ଲା ପ୍ରଶାସନ ଯୁଦ୍ଧକାଳିନ ଭିତିରେ ସମସ୍ତ ପ୍ରସ୍ତୁତି କରିଛି । ଜିଲ୍ଲାପଳ ନିଜେ ସହିଦ ସ୍ମୃତିଭବନ ସହିତ ପୋଲିସ ଲାଇନ ହେଲି ପ୍ୟାଡର ସମୀକ୍ଷା କରିଛନ୍ତି । ଅନ୍ୟପଟେ ସନ୍ତାଳୀ ଲେଖକ ସଂଘ ରାଷ୍ଟ୍ରପତିଙ୍କୁ ଅତିଥୀ ଭାବରେ ପାଇ ଅଶେଷ ଉତ୍କଣ୍ଠାର ସହିତ ପ୍ରସ୍ତୁତିରେ ଲାଗିଛନ୍ତି । ମହାମହୀମ ମଧ୍ୟ ସାନ୍ତାଳୀ ସାହିତ୍ୟର ଜଣେ ଜଣାଶୁଣା ସାଧିକା ।
ସେପଟେ ବାୟୂସେନାର ହେଲିକେପ୍ଟର ଯୋଗେ ବାରିପଦାରୁ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଏୟାଷ୍ଟ୍ରିପ୍ ହେଲିପ୍ୟାଡରେ ଅବତରଣ କରିବେ । ଏଥିପାଇଁ ପୂର୍ତ ବିଭାଗ ପକ୍ଷରୁ ହେଲିପ୍ୟାଡ୍ ନିର୍ମାଣ ହୋଇ ସାରିଛି । ପୂର୍ତ ବିଭାଗର ମହୁଲଡିହା ଡାକବଙ୍ଗଳାକୁ ମଧ୍ୟ ସଜେଇ ଦିଆଯାଇଛି । ଏଠାରେ କିଛି ବ୍ୟକ୍ତି ବିଶେଷ ଓ ସଂଗଠନ ମାନେ ରାଷ୍ଠ୍ରପତିଙ୍କୁ ଭେଟିବା ପରେ ରାଇରଙ୍ଗପୁର ସ୍ଥତ ନିଜ ବାସଭବନକୁ ଯିବ ଦୌପଦୀ ମୁର୍ମୁ । ସେଠାରେ ଭୋଜନ ସହିତ ରାତ୍ରୀଯାପନ କରିବେ ମ୍ୟାଡମ ରାଷ୍ଟ୍ରପତି । ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଏବେ କେବଳ ଅପେକ୍ଷା ସେହି ଶୁଭମୁହୂର୍ତକୁ ।