କନକ ବ୍ୟୁରୋ : ଋଷିକୂଲ୍ୟା ମୁହାଣକୁ ଆସୁଛନ୍ତି ବିରଳ ଅତିଥି । ଆଉ ଅତିଥିଙ୍କ ଆଗମନକୁ ନେଇ ସଜାଗ ବନବିଭାଗ । ଆମେ କହୁଛୁ ବିରଳ ପ୍ରଜାତିର ଅଲିଭ ରିଡ୍ଲେ କଇଁଛଙ୍କ କଥା । ସୁରକ୍ଷିତ ଅଣ୍ଡାଦାନ ପାଇଁ ତିନୋଟି ଟ୍ରଲର ଓ ୨ଟି ସ୍ପିଡ ବୋଟ୍ ସାହାଯ୍ୟରେ ଗଭୀର ସମୁଦ୍ରରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସେହିପରି ସ୍ଥାନୀୟ ବାସିନ୍ଦା ତଥା ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ବେଳାଭୂମିକୁ କିଭଳି ସଫେଇ ରଖିବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହାସହ ଋଷିକୂଲ୍ୟା ମୁହାଣରୁ ଉତର ଦିଗକୁ ପ୍ରୟାଗୀ ପର୍ଯ୍ୟନ୍ତ ଓ ଋଷିକୂଲ୍ୟା ମୁହାଣରୁ ଦକ୍ଷିଣ ଦିଗକୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ନୋ ଫିସିଂ ଜୋନ କରାଯାଇଛି । ସେହିପରି ସମୁଦ୍ର ବେଳାଭୂମିରୁ ସମୁଦ୍ର ଭିତରକୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ନୋ ଫିସିଂ ଜୋନ କରାଯାଇଛି । ସେହିପରି ମୋଟ ୧୧ଟି କ୍ୟାମ୍ପ କରାଯାଇଥିବା ବେଳେ ଏଥିରେ ପ୍ରାୟ ୫୦ରୁ ଅଧିକ ବନ କର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଖଲ୍ଲିକୋଟ ରେଞ୍ଜର ।

ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ପ୍ରମୁଖ ଉପାଦାନ ହେଉଛି ସ୍ୱଚ୍ଛ ବେଳାଭୂମି । ଆଉ ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ନିୟୋଜିତ ହୋଇଛନ୍ତି କିଛି ଅନୁଷ୍ଠାନ । କେବଳ ଅନୁଷ୍ଠାନ ନୁହେଁ ବରଂ ବହୁ ସ୍ୱେଚ୍ଛାସେବୀ, ସ୍ଥାନୀୟ ବାସିନ୍ଦା, ମତ୍ସ୍ୟଜୀବୀ ଓ ନିକଟରେ ରହିଥିବା ସ୍କୁଲର ଛାତ୍ରଛାତ୍ରୀ ମାନେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅନୁଷ୍ଠାନ ସଫେଇ ସହିତ ସାମୂହିକ ଅଣ୍ଡାଦାନ ଠାରୁ ଆରମ୍ଭ କରି ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ସୁରକ୍ଷାରେ ନିୟୋଜିତ ରହିବେ ।

ଗତ ବର୍ଷ ୬ ଲକ୍ଷ ୩୭ ହଜାରରୁ ଊର୍ଦ୍ଧ୍ୱ କଇଁଛମାନେ ଋଷିକୂଲ୍ୟା ମୁହାଣକୁ ଆସି ଗଣ ଅଣ୍ଡାଦାନ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ରେକର୍ଡ ସଂଖ୍ୟକ କଇଁଛ ଋଷିକୂଲ୍ୟା ମୁହାଣକୁ ଆସି ଅଣ୍ଡାଦାନ କରିବେ ବୋଲି ଆଶା ରଖିଛି ବନବିଭାଗ ।