କନକ ବ୍ୟୁରୋ : ସ୍କ୍ରବ ଟାଇଫସ୍ ସଂକ୍ରମଣ କାହିଁକି ବ୍ୟାପୁଛି, ତା’ର ପ୍ରାଥମିକ ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ୍ । ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯିବାଆସିବା କରିବା ସଂକ୍ରମଣର କାରଣ ବୋଲି ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ କୁହାଯାଇଛି, ଅନେକ ଆକ୍ରାନ୍ତଙ୍କ ବିଳମ୍ବରେ ଟେଷ୍ଟିଂ ଓ ଚିକିତ୍ସା କରାଯାଉଛି । ଯେଉଁଥିପାଇଁ ଏଭଳି ସଙ୍ଗୀନ ସ୍ଥିତି ଉପୁଜିଛି । ତେଣୁ ମୌସୁମୀ ଋତୁ ପୂର୍ବରୁ ବ୍ୟାପକ ଜନସଚେତନ କରାଯିବା ଦରକାର ବୋଲି ରିପୋର୍ଟରେ କୁହାଯାଇଛି । ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ବିଶେଷକରି ପଶ୍ଚିମ ଓଡ଼ିଶାର ୩-୪ ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ସଂଗୀନ ରହିଛି । ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ଟିମ୍ ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲା ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ଚଳିତବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ସଂଖ୍ୟାରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବା ସହିତ ୪ଜଣଙ୍କ ମୃତ୍ୟୁ ହୋଇଥିବାରୁ ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ହେଲେ ଏହି ରିପୋର୍ଟ କେବଳ ସୁନ୍ଦରଗଡ଼ ପାଇଁ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଗମ୍ଭୀର ସ୍ଥିତିକୁ ସୂଚୀତ କରିଛି । ତେବେ ପୂରା ଟିମ୍ ଆଉ ଏକ ରିପୋର୍ଟ ଖୁବ୍ ଶୀଘ୍ର ପ୍ରଦାନ କରିବ ବୋଲି ସୂଚନା ମିଳିଛି । ଏବେ ଆସନ୍ତୁ ନଜର ପକାଇବା କେନ୍ଦ୍ରୀୟ ଟିମର ରିପୋର୍ଟ ଉପରେ ।
କେନ୍ଦ୍ରୀୟ ଟିମର ପ୍ରାଥମିକ ରିପୋର୍ଟ
- ସୁନ୍ଦରଗଡ଼ରେ ୪ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ
- କୋଇଡ଼ା ବ୍ଲକକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ଲକ୍ ପ୍ରଭାବିତ
- ୧୫ବର୍ଷରୁ କମ୍ ୩୦%, ୩୧-୪୫ବର୍ଷର ୨୩% ଓ ୪୬-୭୦ବର୍ଷର ୧୭% ଆକ୍ରାନ୍ତ
- ଆକ୍ରାନ୍ତଙ୍କ ମଧ୍ୟରୁ ୫୦% ଘାସରେ ବସିବା-ଶୋଇବା, ଖାଲି ପାଦରେ ଯିବାଆସିବା କରିଛନ୍ତି
- ୪୯% ଲୋକ ବାହାରେ ମଳ ତ୍ୟାଗ କରିଛନ୍ତି
- ୪ ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଟେଷ୍ଟିଂରେ ବିଳମ୍ବ
- ମୃତକଙ୍କ ବୟସ ୨୮-୬୫ବର୍ଷ ଭିତରେ ରହିଛି