କାବୁଲରୁ ଆମେରିକୀୟ ବିମାନରେ ସ୍ଥାନାନ୍ତରଣ ବେଳେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା : ଟୁଇଟ୍ କରି ସୂଚନା ଦେଲା ୟୁଏସ ଏୟାର ମୋବିଲିଟି କମାଣ୍ଡ

ବାୟୁ ଚାପ ବୃଦ୍ଧି ପାଇଁ ବିମାନର ଉଡାଣର ଉଚ୍ଚତା କମାଇଥିଲେ କମାଣ୍ଡର; ଉଭୟ ମା ଓ ନବଜାତକ ସୁସ୍ଥ

219

କନକ ବ୍ୟୁରୋ : କାବୁଲ ଛାଡି ବିଦେଶକୁ ଆମେରିକୀୟ ବିମାନରେ ସ୍ଥାନାନ୍ତରଣ ବେଳେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା । ଶନିବାର ଜର୍ମାନୀର ରାମଷ୍ଟେନ ଏୟାରବେସରେ ଅବତରଣ କରିବା କ୍ଷଣି, ବ୍ୟକ୍ତିବିଶେଷଙ୍କୁ ବିପଜ୍ଜନକ ସ୍ଥାନରୁ ସ୍ଥାନାନ୍ତରଣ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ବିମାନରେ ଥିବା ଜଣେ ଆଫଗାନ ମହିଳା ଗୋଟିଏ କନ୍ୟା ପ୍ରସବ କରିଛନ୍ତି । ଏନେଇ ରବିବାର ଟୁଇଟ୍ କରି ଦି ୟୁଏସ ଏୟାର ମୋବିଲିଟି କମାଣ୍ଡ କହିଛି, ଯେ ତାଲିବାନମାନେ ଆଫଗାନ ଦଖଲ କରିବାରୁ ଖସି ପଳାଇ ଆସିଥିବା ମହିଳାଜଣଙ୍କ ତାଙ୍କ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ସି-୧୭ ପରିବହନକାରୀ ବିମାନରେ ଯାତ୍ରା କରୁଥିବାବେଳେ ପ୍ରସବ ବେଦନା ପାଇଥିଲେ ।

ବିମାନଟି ଆକାଶର ୨୮ ହଜାର ଫୁଟ ଉଚ୍ଚରେ ଉଡୁଥିବାବେଳେ ବିମାନରେ ନିମ୍ନ ବାୟୁଚାପ ଯୋଗୁଁ ମାଆ ହେବାକୁ ଯାଉଥିବାବେଳେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇପଡିଥିଲା ବୋଲି ଆମେରିକୀୟ ବାୟୁସେନା କହିଛି । ତେଣୁ ବାୟୁଚାପ ବୃଦ୍ଧି ପାଇଁ ବିମାନ ଉଡାଣର ଉଚ୍ଚତା ହ୍ରାସ କରିବା ପାଇଁ ବିମାନର କମାଣ୍ଡର ସ୍ଥିର କରିଥିଲେ । ଫଳରେ ଆସନ୍ନ ପ୍ରସବାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ସହ ଜୀବନ ରକ୍ଷା ହୋଇ ଯାଇଥିଲା । ପ୍ରସବ ପରେ ଉଭୟ ନବଜାତକ ଓ ମାଙ୍କ ନିକଟବର୍ତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଉଭୟ ସୁସ୍ଥ ଅଛନ୍ତି ।