ପଜିଟିଭ, ନେଗେଟିଭର ଖେଳରେ ଫସିଯାଉଛନ୍ତି ସାଧାରଣ ଲୋକ । କୋଭିଡ ପରୀକ୍ଷା ପରେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ଆସିଲା ପଜିଟିଭ୍, ୩ ଦିନ ପରେ ହସ୍ପିଟାଲରେ ରିପୋର୍ଟ ନେଗେଟିଭ୍ ।

123

କନକ ବ୍ୟୁରୋ : ପଜିଟିଭ, ନେଗେଟିଭର ଖେଳରେ ଫସି ଯାଉଛନ୍ତି ସାଧାରଣ ଲୋକ । ନିଆଳି ସୁନିଦା ଗାଁରେ କୋଭିଡ ପରୀକ୍ଷା ପରେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ଆସିଲା ପଜିଟିଭ । ୩ ଦିନ ପରେ ହସ୍ପିଟାଲରେ କିନ୍ତୁ ରିପୋର୍ଟ ବାହାରିଲା ନେଗେଟିଭ, ମୋବାଇଲକୁ ମେସେଜ ଆସିଲା ପଜିଟିଭ୍ । ଏପରି ଡବଲ୍ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ଗର୍ଭବତୀଙ୍କ ପରିବାର । ଏହାକୁ ନେଇ ଥାନାରେ ହୋଇଛି ଅଭିଯୋଗ ।

ସରକାର ଲୋକଙ୍କ ପାଖରେ ପହଂଚୁଛନ୍ତି । ଘର ଘର ବୁଲି କରୋନା ଯାଂଚ କରୁଛନ୍ତି । ବିଜ୍ଞାପନରେ କୁହାଯାଉଛି, ବିନା ଦ୍ୱିଧାରେ ସହଯୋଗ କରନ୍ତୁ । ଆଉ ବିନା ଦ୍ୱିଧାରେ ଲୋକ ଯେତେବେଳେ ଲୋକ କରୋନା ପରୀକ୍ଷା କରୁଛନ୍ତି କ’ଣ ସବୁ ଘଟୁଛି, ତାର ଏକ ଉଦାହରଣ ସାମ୍ନାକୁ ଆସିଛି ନିଆଳିରୁ ।

ତେବେ ଏହି ବ୍ୟକ୍ତି ଜଣଙ୍କର ସମସ୍ୟା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗର୍ଭବତୀ ସ୍ତ୍ରୀଙ୍କର ସେ କରୋନା ପରୀକ୍ଷା କରାଇଥିଲେ । ଗାଁରେ ପଜିଟିଭ୍ ଆସିଲା ତ ମେଡିକାଲରେ ଆସିଛି ନେଗେଟିଭ୍ ରିପୋର୍ଟ । ସବୁଠାରୁ ଚିନ୍ତାଜନକ କଥା ହେଉଛି ମୋବାଇଲକୁ ଆସିଛି ପଜିଟିଭ୍ ନେଇ ମେସେଜ୍ । ଏପରି ବିଭିନ୍ନ ରିପୋର୍ଟ ଭିତରେ କାହାକୁ ବିଶ୍ୱାସ କରିବେ ଭାବି ପାରୁନାହାନ୍ତି ।

ଗାଁରେ ପଜିଟିଭ୍, ହସ୍ପିଟାଲରେ ନେଗେଟିଭ୍ । କେଉଁ ରିପୋର୍ଟ ସତ, କାହାକୁ କରିବେ ବିଶ୍ୱାସ? କଟକ ଜିଲ୍ଲା ସୁନିଦା ଗାଁର ଗୋପାଳ ମୁଦୁଲିଙ୍କ ପତ୍ନୀ ଜ୍ୟୋସ୍ନାମୟୀଙ୍କ କ୍ଷେତ୍ରରେ ଘଟିଛି ଏପରି ଘଟଣା । ଗତ ୨୧ ତାରିଖରେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ଗାଁରେ ପଜିଟିଭ୍, ଆଉ ୩ ଦିନ ପରେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଗେଟିଭ୍ ଆସିଛି । ଗାଁରେ ପଜିଟିଭ୍ ଆସିବା ପରଠାରୁ ଗାଁରେ ବାସନ୍ଦ ପରି ଜୀବନ କାଟୁଛନ୍ତି ଏହି ପରିବାର । ସ୍ତ୍ରୀଙ୍କ ପ୍ରସବ ତାରିଖ ନିକଟରେ ଥିବାରୁ ଚିକିତ୍ସା ସୁବିଧା ପାଇବା ନେଇ ଆଶଙ୍କା ଦେଖାଦେଇଛି । ମୋବାଇଲକୁ ପଜିଟିଭ୍ ରିପୋର୍ଟ ଆସିବା ପରଠାରୁ ବେପରୁଆ ରିପୋର୍ଟକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଜଣେ ବ୍ୟକ୍ତିଙ୍କର ରିପୋର୍ଟ କେମିତି ପଜିଟିଭ୍ ପରେ ହୋଇଯିବ ନେଗେଟିଭ୍ । ଏହି ଘଟଣା ଗାଁ ଗହଳିରେ କୋଭିଡ୍ ପରୀକ୍ଷା ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଖାମଖିଆଲି କାମକୁ ସାମ୍ନାକୁ ଆଣିଛି ।