ଜୀବନ ଦେବା ପାଇଁ ବାଜିରେ ଲାଗିଛି ଜୀବନ । ୯ ମାସର ଗର୍ଭକୁ ଧରି ପାହାଡ-ନଦୀ ଡେଇଁ ୨୮ କିଲୋମିଟର ଚାଲି ଚାଲି ଡାକ୍ତରଖାନାରେ ପହଂଚିଲେ ଗର୍ଭବତୀ

582

କନକ ବ୍ୟୁରୋ : ସରକାରୀ ଯୋଜନା ସାତସପନ । ଗାଁକୁ ରାସ୍ତାଟିଏ ନାହିଁ । ସରକାର ଗାଁମାନଙ୍କୁ ରାସ୍ତା ସଂଯୋଗ ଓ ଗାଁର ବିଭିନ୍ନ ସମସ୍ୟା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯୋଜନା ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏମିତି କିଛି ଗାଁ ରହିଛି ଯାହା ଏବେ ବି ସମସ୍ୟା ଭିତରେ ଛନ୍ଦି ହୋଇ ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ର ଗଢାଚିରୈଲୀ ଜିଲ୍ଲାରେ । ଗାଁକୁ ରାସ୍ତା ନଥିବାରୁ ପହଂଚିପାରିଲାନି ଆମ୍ବୁଲାନ୍ସ, ଆଉ ୨୮କିଲୋମିଟର ପାଦରେ ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ ।  ଗୋଟିଏ ଜୀବନ  ବଞ୍ଚାଇବା ପାଇଁ ବାଜିରେ ଲାଗିଲା ଆଉ ଗୋଟିଏ ଜୀବନ  ।

ଗଢଚିରୈଲୀ ଜିଲ୍ଲା ଭାମରାଗଡ ଗାଁର ଘଟଣା । ଏହି ଗାଁର ମହିଳା ହେଉଛନ୍ତି ରୋଶନୀ ପୌଦାଡୀ । ରୋଶନୀ ନଅ ମାସର ଗର୍ଭବତୀ ।  ପ୍ରସବ ବେଦନା ହେବାରୁ ରୋଶନୀଙ୍କୁ ହସ୍ପିଟାଲ ନେବାର ଥିଲା । କିନ୍ତୁ ଗାଁକୁ ଯିବା ଆସିବା ପାଇଁ ଉପଯୁକ୍ତ ରାସ୍ତାଟିଏ ନାହିଁ । ଆମ୍ବୁଲାନ୍ସ ମଧ୍ୟ ପହଂଚିପାରିବା ଅସମ୍ଭବ । କିଛି ଉପାୟ ନପାଇ ଶେଷରେ ପରିବାର ଲୋକଙ୍କ ସହ ୨୮ କିଲୋମିଟରର ଜଙ୍ଗଲ ଓ ନଦୀ ପାର କରି ଚାଲି ଚାଲି ହସ୍ପିଟାଲରେ ଯିବା ପାଇଁ ବାଧ୍ୟ ହେଲେ । ଗୋଟିଏ ଜୀବନ ବଞ୍ଚାଇବା ପାଇଁ ବାଜିରେ ଲାଗିଲା ଆଉ ଗୋଟିଏ ଜୀବନ । ରୋଶନୀଙ୍କ ଗର୍ଭରେ ନଅ ମାସର ଛୁଆ । ଚାଲି ଚାଲି ଶେଷରେ ନିଜ ପରିବାର ସହିତ ନଦୀ ପାର କରି ହସ୍ପିଟାଲରେ ପହଞ୍ଚିଥିଲେ ରୋଶନୀ । ସେଠାରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସବୁଠାରୁ ବଡକଥା ହେଉଛି, ଏହି ଆଦିବାସୀ ମହିଳା ଜଣଙ୍କ ସନ୍ତାନକୁ ଜନ୍ମ ଦେବା ପରେ ପୁଣି ୨୮ କିଲୋମିଟର ଅତିକ୍ରମ କରି ଘରକୁ ଫେରିଥିଲେ ।
କେତେ ସରକାର ଆସିଲେଣି ଓ ଗଲେଣି । କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତାଟିଏ ନାହିଁ । ଏନଜିଓ ଏହି ଅଞ୍ଚଳରେ ରାସ୍ତା ଓ ଯିବା ଆସିବା ପାଇଁ ସାଧନ ଜୁଟାଇବାରେ ଲାଗିଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ଏବେ ସୁଦ୍ଧା କୌଣସି ପ୍ରକାରର ସହାୟତା ମିଳିପାରି ନାହିଁ । ଯାହା ଫଳରେ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡୁଛି ।