ଗଡ ନିଆଳି ଗାଁରୁ ଉଦ୍ଧାର ଅଜଗର ସାପ ଅଣ୍ଡାରୁ ଫୁଟିଲା ଛୁଆ : ଗତ ମେ ମାସରେ ଗାଁ ନିକଟ ଏକ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ଅଜଗର

275

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ମଲିପୁର ପଂଚାୟତ ଗଡନିଆଳି ଗାଁରୁ ଉଦ୍ଧାର ହୋଇଥିବା ଅଜଗର ଅଣ୍ଡାରୁ ଏବେ ଛୁଆ ଫୁଟିବା ଆରମ୍ଭ ହୋଇଛି । କେତେକ ଅଣ୍ଡାରୁ ଛୁଆ ବାହାରିଥିବା ବେଳେ ଆଉକେତେକ ଅଣ୍ଡାରୁ ଛୁଆ ଫୁଟିବା ବାକି ରହିଛି । ଗତ ମେ ମାସରେ ଗାଁ ନିକଟ ଜଙ୍ଗଲ ଭିତରେ ଏକ ଗାତରେ ବିରାଟ ଅଜଗର ଦେଖିବାକୁ ମିଳିଥିଲା ।

ଏନେଇ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଜଣାଇଥିଲେ ଗ୍ରାମବାସୀ । ପରେ ଉଭୟ ବନ ବିଭାଗ ଓ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ପହଂଚି ସାପଟି ଅଣ୍ଡା ଦେଇଥିବା ଜାଣି ପାରିଥିଲେ । ସାପଟି ସେହିଠାରେ ରହି ଅଣ୍ଡାରୁ ଛୁଆ ଫୁଟାଇବା ଯାଏଁ ତାକୁ ଗ୍ରାମବାସୀ ସୁରକ୍ଷା ଦେବେ ବୋଲି ନିଷ୍ପତି ନେଇଥିଲେ । କିନ୍ତୁ ବର୍ଷାଦିନ ଆସିବାରୁ ଅଣ୍ଡା ଗୁଡିକର ସୁରକ୍ଷା ଜରୁରୀ ହୋଇପଡିଲା । ଆଉ ଅଣ୍ଡାଗୁଡିକୁ ଖୋର୍ଦ୍ଧା ହଳଦିଆ ରେଞ୍ଜରେ ଆଣି ରଖିଥିଲେ ।

ତେବେ ୧୮ ଦିନ ପରେ ଅର୍ଥାତ ୨୨ ମେ ଦିନ ମା ଅଜଗର ଅଣ୍ଡା ଗୁଡିକୁ ବସାରେ ଛାଡି ବାହାରକୁ ପଳେଇ ଯାଇଥିଲା । ଦୀର୍ଘ ୧୦ ଘଣ୍ଟା ଅପେକ୍ଷା କରିବା ପରେ ବନ ବିଭାଗ ସ୍ନେକ ହେଲ୍ପ ଲାଇନ ସହାୟତାରେ ମା’ ଅଜଗରକୁ ଧରି ଚନ୍ଦକା ଅଭୟାରଣ୍ୟରେ ଛାଡି ଥିଲା । ଅଣ୍ଡା ଗୁଡିକୁ ପ୍ରଥମେ ନିଆଳି ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ ରଖା ଯାଇଥିଲା । କିନ୍ତୁ ସେଠାରେ ପିମ୍ପୁଡି ଲାଗିବା ଫଳରେ ଦିନକ ପରେ ଅଣ୍ଡା ଗୁଡିକୁ ମିନଚିନ୍ ପାଟଣା ରେଞ୍ଜ କାର୍ଯ୍ୟାଳୟରେ ସ୍ନେକ ହେଲ୍ପଲାଇନ ତରଫରୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଗତକାଲି ଜୁନ ୨୯ ତାରିଖରେ ପ୍ରଥମ ଅଜଗର ଅଣ୍ଡା ଫୁଟି ବାହାରିଥିଲା । ଆଜି ଏପର୍ଯ୍ୟନ୍ତ ମୋଟ ୪ ଅଣ୍ଡା ଫୁଟି ସାରିଛି ଏବଂ ଅନ୍ୟ ୨୩ ଅଣ୍ଡା ଫୁଟିବା ପାଇଁ ବାକି ଅଛି ।