ଗାଁକୁ ରାସ୍ତା ନାହିଁ, ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଛଟପଟ ହୋଇ ଅଧ ବାଟରେ ଚାଲିଗଲା ଗର୍ଭବତୀଙ୍କ ଜୀବନ । କନ୍ଧମାଳ ଜିଲ୍ଲା ମ୍ଲାଉଗୁଡାର ଘଟଣା ।

143

କନକ ବ୍ୟୁରୋ: ଜଙ୍ଗଲି ରାସ୍ତା ନେଲା ଗର୍ଭବତୀଙ୍କ ଜୀବନ । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇ ୫ କିଲୋମିଟର ବୁହା ହୋଇ ଯିବା ବାଟରେ ପ୍ରସବ ବେଦନାରେ ଛଟପଟ ହୋଇ ଆଖି ବୁଜିଦେଇଛନ୍ତି ଗର୍ଭବତୀ । କନ୍ଧମାଳ ଜିଲ୍ଲା ଗୁଗୁରମହା ପଞ୍ଚାୟତରୁ ଆସିଛି ଏହି ଦୁଃଖଦ ଖବର ।

ସୂଚନା ଅନୁସାରେ, ଶୁକ୍ରବାର ଗୁୁଗୁରମାହ ପଞ୍ଚାୟତର ମ୍ଲାଉଗୁଡା ଗାଁର ମେଚୁ ସୁକାମାଝୀଙ୍କ ସ୍ତ୍ରୀ ସୁମନ୍ତି ସୁକାମାଝିଙ୍କ ଗର୍ଭବେଦନା ହୋଇଥିଲା । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । କିଛି ଉପାୟ ନପାଇ ପରିବାର ଲୋକେ ଆଶା ଦିଦିଙ୍କ ସହାୟତାରେ ତାଙ୍କୁ ଖଟିଆରେ ୫ କିଲୋମିଟର ଜଙ୍ଗଲିଆ ରାସ୍ତା ପାରି କରାଇଥିଲେ । ଦୀର୍ଘ ୫ କିଲୋମଟିର ଜଙ୍ଗଲି ରାସ୍ତା ପାରି କରିବା ପରେ ଜୁଡାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲିଗୁଡା ଉପଖଣ୍ଡକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମହିଳା ଜଣକ ପ୍ରସବ ବେଦନା ସହିନପାରି ତୁମୁଡିବନ୍ଧ ନିକଟରେ ଆମ୍ବୁଲାନ୍ସ ଭିତରେ ଆଖି ବୁଜି ଦେଇଥିଲେ ।