ସୈତାନ ମଣିଷର ଗୁଣକୁ ଜାଣିପାରିଲାନି ଗର୍ଭବତୀ ହାତୀ, ନୃସଂଶତାର ସବୁସୀମା ଟପି ନିଜ ହାତରେ ବାଣ ଭର୍ତ୍ତି ସପୁରୀ ହାତୀକୁ ଦେଲା ଖୁଆଇ । ଗର୍ଭବତୀ ହାତୀ ପାଟିରେ ଫୁଟିଗଲା ବୋମା ଦୀର୍ଘ ସମୟ ଛଟପଟ ହେବା ପରେ ଆଖିବୁଜିଲା ।

7,531

କନକ ବ୍ୟୁରୋ: କେରଳ ପଲାକ୍କଡ ଜିଲ୍ଲାର ଏକ ଖବରକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ଏଠି, ଗୋଟିଏ ମାଈ ହାତୀ, ମଣିଷର ଷଡଯନ୍ତ୍ର ଯୋଗୁଁ ପ୍ରାଣ ହରାଇଛି । ଜନବସତିକୁ ଚାଲି ଆସିଥିବା ହାତୀକୁ ପାନେ ଦେବା ପାଇଁ କିଛି ସ୍ଥାନୀୟ ବାସିନ୍ଦା ସପୁରୀ ଭିତରେ ବାଣ ରଖିଥିଲେ । ଆଉ ସେହି ସପୁରୀ ଖାଇବା ପରେ ହାତୀର ପାଟିରେ ହିଁ ବିସ୍ଫୋରଣ ହୋଇଗଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି ହାତୀ ନଦୀ ଭିତରେ ସୁଣ୍ଢ ପୁରାଇ କଷ୍ଟ ଲାଖବ କରିବାକୁ ବହୁତ ଚେଷ୍ଟା କରିଥିଲା । ପାଣି ଭିତରୁ ହାତୀକୁ ବାହାର କରିବା ପାଇଁ ବନବିଭାଗ ଦୁଇଟି ପୋଷା ହାତୀ ଆଣି ଉଦ୍ୟମ କରିଥିଲା । ହେଲେ ହାତୀ ଆଉ ପାଣି ଭିତରୁ ବାହାରିନଥିଲା । ଆଉ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଲା । ପୋଷ୍ଟମର୍ଟ ପରେ ଜଣାପଡ଼ିଲା, ମାଈ ହାତୀଟି ଗର୍ଭବତୀ ଥିଲା ।

ମୃତ ଜନ୍ତୁ ଆଜି ଜୀବିତ ମଣିଷକୁ ପ୍ରଶ୍ନ କରୁଛି- ବିଶ୍ୱାସରେ ବିଷ ଦେଇଛି କିଏ? ହାତୀ ନା’ ମଣିଷ? ହୋଇପାରେ, ଖାଦ୍ୟ ଅନ୍ୱେଷଣରେ ଜନବସତି ଆସିଥିଲା ଜଙ୍ଗଲି ଜନ୍ତୁ ।ହେଲେ ମଣିଷକୁ ଖାଇବା ତ’ ମାଗିନଥିଲା । ସପୁରୀର ସ୍ୱପ୍ନ ଦେଖାଇ ଛଳନା କଲା ମଣିଷ । ନିରୀହ ଜନ୍ତୁ ଭାବି ନେଲା, ମଣିଷ ଦୟାଳୁ । ଭୋକିଲା ପେଟ ଏବଂ ପେଟ ଭିତରେ ଥିବା କୁନି ହାତୀ । ଆଗପଛ ବିଚାର କରିବାର ସୁଯୋଗ ବି ନଥିଲା । ପାଟିକୁ ସପୁରୀର ସ୍ୱାଦ ଆସିବା ପୂର୍ବରୁ ଜୋରରେ ହୋଇଥିଲା ବିସ୍ଫୋରଣ । ଧୋକା ଦିଆ ମଣିଷର ଷଡଯନ୍ତ୍ର ଆଉ ଅବୁଝା ରହିଲା ନାହିଁ । ଯନ୍ତ୍ରଣାରେ ଛଟପଟ ମାଈ ହାତୀ, ପାଣି ଭିତରେ ସୁଣ୍ଢ ପୁରାଇ ରଖିଲା ।

ବାଣ ବିସ୍ଫୋରଣ ପୀଡ଼ା, ପାଣି କ’ଣ ଲାଖବ କରିଥାନ୍ତା । ପାଣି ଭିତରେ ଛଟପଟ ହେଲା ସିନା, କିଛି ଲାଭ ହେଲାନି । ଶେଷରେ ଆଖି ବୁଜି ଦେଲା । ଆଉ ପେଟ ଭିତରେ ଥିବା କୁନି ହାତୀ ଦୁନିଆ ବି ଦେଖିପାରିଲାନି । ସତରେ କ’ଣ ଜଙ୍ଗଲି ଜନ୍ତୁ ଜବବସତିକୁ ଆସିଥିଲା । ନା’ ଜଙ୍ଗଲ ଭିତରେ ବସତି ଗଢ଼ିଲା ମଣିଷ । ପରିସଂଖ୍ୟାନର ପୃଷ୍ଠା ଲେଉଟାଇ ଦେଖନ୍ତୁ । ଜାଣି ପାରିବେ ହାତୀ-ମଣିଷ ଲଢ଼େଇରେ ବାଜି ମାରିଛି କିଏ? ଏହା ପରେ ବି ଯଦି ଅବୁଝା ରହୁଛି । ମହଲରେ ରହୁଥିବା ମଣିଷର କାନ୍ଥକୁ ଦେଖନ୍ତୁ । ସୌଖିନ୍ ସାମଗ୍ରୀ ଭାବେ ଝୁଲୁଥିବା ହାତୀ ଦାନ୍ତ, ଦୁନିଆର ସବୁଠାରୁ ବଡ଼ ଜନ୍ତୁର ପରାଜୟର କାହାଣୀ କହୁଥିବ ।