ଯୁବ ଭୋଟରଙ୍କ ଉପରେ ରାଜନୈତିକ ଦଳର ନଜର । ପ୍ରାର୍ଥୀ ଘୋଷଣା ବେଳେ ଯୁବ ନେତୃତ୍ୱକୁ ଅଗ୍ରାଧିକାର

109

କନକ ବ୍ୟୁରୋ: ଯୁବକଙ୍କ ଉପରେ ନିବେଶ ଭବିଷ୍ୟତ ପାଇଁ ନିବେଶ । ଏହି ଧାରାରେ ତିନି ରାଜନୈତିକ ଦଳଙ୍କ ପ୍ରାର୍ଥୀ ତାଲିକାରେ ଅଗ୍ରାଧିକାର ପାଇଛନ୍ତି ଯୁବ ଭୋଟର । ରାଜ୍ୟରେ ୩.୩୨ କୋଟି ହେଉଛନ୍ତି ଭୋଟର । ୭ ଲକ୍ଷ ୫୪ ହଜାର ରହିଛନ୍ତି ନବାଗତ ଭୋଟର । ତିନି ଦଳରେ ପ୍ରମୁଖ ନେତାଙ୍କ ସ୍ଥାନରେ ଯୁବ ଭୋଟର ଦେଇ ତିନି ଦଳ ଚମକାଇ ଦେଇଛନ୍ତି ।

ସାଗର ଦାସ ( ଭବାନୀପାଟଣା ବିଧାନସଭା), ୟାସିର ନୱାଜ (ଭୁବନେଶ୍ୱର ଲୋକସଭା), ସିଦ୍ଧାର୍ଥ ସ୍ୱରୂପ ଦାସ (କେନ୍ଦ୍ରାପଡା ଲୋକସଭା), ଦେବସ୍ମିତା ଶର୍ମା (ଆଳି ବିଧାନସଭା), ଲିପିକା ମାଝି (ଡାବୁଗାଁ ବିଧାନସଭା) । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏ ହେଉଛନ୍ତି କଂଗ୍ରେସର ଯୁବ ବ୍ରିଗେଡ । ଯେଉଁମାନଙ୍କୁ ଆଗକୁ ଆଣି କଂଗ୍ରେସ ଯୁବ ଭୋଟରଙ୍କୁ ନିଜ ଭୋଟ୍ ବ୍ୟାଙ୍କରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଦଳରେ ଅନେକ ନେତା ଦଳ ଡିଆଁ ପର୍ବରେ ସାମିଲ ହେବା ପରେ ଟିକେଟ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯୁବ ଚେହେରାଙ୍କ ଉପରେ ଭରସା କରିଛି କଂଗ୍ରେସ ।

ସେହିପରି ସୂରଜ ସୂର୍ଯ୍ୟବଂଶୀ (ଧାମନଗର ବିଧାନସଭା), ଅଭିନନ୍ଦନ ପଣ୍ଡା (ନୂଆପଡା ବିଧାନସଭା). ଟଙ୍କଧର ତ୍ରିପାଠୀ (ଝାରସୁଗୁଡା ବିଧାନସଭା), ମାନସ ଦତ୍ତ (ବାଲେଶ୍ୱର ସଦର ବିଧାନସଭା), ଇରାଶିଷ ଆଚାର୍ଯ୍ୟ (ଭଟଲି ବିଧାନସଭା) ହୋଇଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ । ଦଳରେ ଅନେକ ନେତା ଥିଲେ ମଧ୍ୟ ବିଜେପି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ବିଜେଡି ମଧ୍ୟ ଦୀପାଳି ଦାସ (ଝାରସୁଗୁଡା ବିଧାନସଭା), ବର୍ଷା ସିଂହ ବରିହା (ପଦ୍ମପୁର ବିଧାନସଭା), ରୁଦ୍ର ମହାରଥୀ (ପିପିଲି ବିଧାନସଭା), ଅଙ୍କିତ ଜେନା (ମାହାଙ୍ଗା ବିଧାନସଭା), ସୁଲକ୍ଷଣା ଦେବୀ (ସାନଖେମୁଣ୍ଡି ବିଧାନସଭା), ରଞ୍ଜିତା ସାହୁ (ଆସ୍କା ଲୋକସଭା) ଭଳି ନେତାଙ୍କୁ ପ୍ରାର୍ଥୀ କରିଛି ଦଳ । ଯୁବ ଓ ମହିଳାଙ୍କ ସବୁବେଳେ ଗୁରୁତ୍ୱ ଦେଉଥିବା ଶାସକ ଦଳ ବିଜେଡି ଅନେକ ସ୍ଥାନରେ ପୁରୁଖା ନେତାଙ୍କ ସ୍ଥାନରେ ଯୁବ ଚେହେରାଙ୍କୁ ଆଗକୁ ଆଣି ଚମକାଇ ଦେଇଛି । ବଡ କଥା ହେଉଛି ବିଜୁ ଜନତା ଦଳ ୨୧ ଲୋକସଭା ଏବଂ ୧୨୬ ବିଧାନସଭା ଆସନ ମଧ୍ୟରୁ ୨୧ ଜଣଙ୍କ ବୟସ ୪୦ ବର୍ଷରୁ କମ୍ ରହିଛି ।