ପଶ୍ଚିମାଝଡ଼ ପରେ ଆଜିଠୁ ବଢ଼ିବ ବର୍ଷା : କିଛି ସ୍ଥାନରେ ୪୦ରୁ ୫୦ କିମି ପବନ ବହିବା ସମ୍ଭାବନା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

279

କନକ ବ୍ୟୁରୋ : ପଶ୍ଚିମାଝଡ଼ ପରେ ଆଜିଠୁ ବଢ଼ିପାରେ ବର୍ଷା । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ଆସନ୍ତାକାଲି ଠାରୁ ବର୍ଷା ଓ ପବନ ଅଧିକ ବଢ଼ିବାର ସମ୍ଭାବନା ରହିଛି । ଆସନ୍ତାକାଲି ବିଶେଷକରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ ଓ ମାଲକାନଗିରିରେ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ସେଥିପାଇଁ ଏସବୁ ଜିଲ୍ଲାଗୁଡ଼ିକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୯ ତାରିଖ ଦିନ ମଧ୍ୟ ରାଜ୍ୟ‌ର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖ ଦିନ ବର୍ଷାର ବିସ୍ତୃତି କମିବ । ଗତ ତିନିଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ରହିଥିଲା । ଏହାସହ କିଛି ସ୍ଥାନରେ ବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇଛି ।