ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ସୂର୍ଯ୍ୟଙ୍କ ସ୍ଥାନରେ ରାହାଣେ ମାରିପାରନ୍ତି ଏଣ୍ଟ୍ରି, ଦୀର୍ଘ ଦିନ ପରେ କମବ୍ୟାକ୍ କରିପାରନ୍ତି ଇଶାନ୍ତ ।

271

କନକ ବ୍ୟୁରୋ : ଆସନ୍ତା ଜୁନ୍ ମାସରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳାଯିବ । ଟାଇଟଲ ପାଇଁ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଇଂଲଣ୍ଡର ଦ ଓଭାଲ ଗ୍ରାଉଣ୍ଡରେ ଏହି ମୁକାବିଲା ଖେଳାଯିବ । ଏହି ହାଇଭୋଲଟେଜ ମୁକାବିଲାକୁ ଚାହିଁ ବସିଛନ୍ତି କ୍ରିକେଟପ୍ରେମୀ । ଖୁବଶୀଘ୍ର ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା ପାଇଁ ଦଳ ଘୋଷଣା କରିବ ଭାରତ । କିନ୍ତୁ ଟିମରେ କାହାକୁ ସାମିଲ କରାଯିବ ଓ କାହାକୁ ବାଦ୍ ଦିଆଯିବ ତାହା ଏବେ ଚୟନକର୍ତ୍ତାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । କାରଣ ଭାରତ ପାଇଁ ଟେଷ୍ଟ ଖେଳୁଥିବା କିଛି ଖେଳାଳୀ ଏବେ ଫର୍ମରେ ନଥିବା ବେଳେ ଅନେକ ଯୁବ ପ୍ରତିଭା ଦମଦାର ପ୍ରଦର୍ଶନ କରୁଛନ୍ତି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲାରେ ଦଳର ମଙ୍ଗ ରୋହିତ ଶର୍ମାଙ୍କ ହାତରେ ରହିବ । ରୋହିତଙ୍କ ସହ ଟିମରେ ଶୁଭମାନ ଗିଲ ଓ କେଏଲ ରାହୁଲଙ୍କର ରହିବା ସମ୍ଭାବନା ଯଥେଷ୍ଟ ଅଧିକ । ରାହୁଲ ସେଭଳି ଫର୍ମରେ ନଥିଲେ ମଧ୍ୟ ବିଦେଶ ମାଟିରେ ଖେଳିବାର ଅନୁଭବ ଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇପାରେ । ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ଭାରତୀୟ ଟିମର ମିଡ଼ିଲ ଅର୍ଡରକୁ ଶକ୍ତିଶାଳୀ କରିବେ । ଯେହେତୁ ଶ୍ରେୟସ ଆୟର ଆହତ କାରଣରୁ ଏବେ ପଡିଆରୁ ବାହାରେ ରହିଛନ୍ତି ତେଣୁ ତାଙ୍କ ସ୍ଥାନରେ ଏବେ ଦମଦାର ଫର୍ମରେ ଥିବା ଆଜିଙ୍କ୍ୟ ରାହାଣେଙ୍କୁ ସୁଯୋଗ ମିଳିପାରେ । ଦୀର୍ଘ ଦିନ ହେବ ରାହାରେ ଭାରତୀୟ ଟିମରୁ ବାଦ୍ ପଡି ଆସୁଛନ୍ତି । ଚଳିତ ଆଇପିଏଲରେ ରାହାଣେଙ୍କ ପ୍ରଦର୍ଶନ ବେଶ ପ୍ରଭାବୀ ରହିଥିବା ବେଳେ ରଣଜୀ ମ୍ୟାଚରେ ମଧ୍ୟ ତାଙ୍କ ବ୍ୟାଟରୁ ରନ୍ ବାହାରିଥିଲା । ତେବେ ରାହାଣେ ସାମିଲ ହେଲେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଟିମର ଟିକେଟ ମିଳିନପାରେ । ସୂର୍ଯ୍ୟକୁମାର ଯାଦବଙ୍କର ଟେଷ୍ଟ ଖେଳିବାର ସେତେଟା ଅନୁଭବ ନଥିବା ବେଳେ ରାହାଣେ ଦୀର୍ଘ ବର୍ଷ ଧରି ଭାରତୀୟ ଟେଷ୍ଟ ଟିମର ନିୟମିତ ସଦସ୍ୟ ରହି ଆସୁଥିଲେ ।

ସେହିଭଳି ୱିକେଟକିପର ବ୍ୟାଟର ଭାବେ କେ.ଏସ ଭରତ ଓ ଇଶାନ କିଷାନଙ୍କୁ ଦଳରେ ସାମିଲ କରାଯିବ । କିନ୍ତୁ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ । ସ୍ୱିନର ଭାବେ ରବୀଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ନାଁ ଆଗରେ ରହିବ । ବିଦେଶ ମାଟିରେ ବାଉନିଂ ପିଚ୍ ପାଇଁ ଟିମ୍ ଇଣ୍ଡିଆ ଅଧିକ ପେସ୍ ବୋଲରଙ୍କ ଉପରେ ଭରସା କରିବ । ଉମେଶ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଓ ଜୟଦେବ ଉନାଦକତଙ୍କୁ ଦଳରେ ସାମିଲ କରିବାର ସମ୍ଭାବନା ଅଧିକ । ତେବେ ଆଇପିଏଲରେ ଅନୁଭବୀ ଇଶାନ୍ତ ଶର୍ମା ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ତେଣୁ ପୁଣିଥରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିପାରନ୍ତି ।