ବିଜେପୁର ବିଜୟ ନେଇ ରାଜନୈତିକ ଦଳଙ୍କ ଭବିଷ୍ୟବାଣୀ ! ବିଜେଡି ଓ ବିଜେପି ଜିତିବା ନେଇ ଆଶାବାଦୀ, କଂଗ୍ରେସର ବିଜୟକୁ ନେଇ ସନ୍ଦେହ ପ୍ରକାଶ କଲେ ନିରଞ୍ଜନ ପଟ୍ଟନାୟକ

56

କନକ ବ୍ୟୁରୋ : ବିଜେପୁର କାହାର ? କିଏ ବନିବ ବିଜେପୁର ବାଜିଗର ? ଭୋଟ୍ ସରିବା ପରେ ଏବେ ଚାଲିଛି ଅଙ୍କକଷା । ଉଭୟ ବିଜେଡି ଓ ବିଜେପିର ଏକା ଦାବି । ଉପ-ନିର୍ବାଚନର ତାଙ୍କ ଦଳର ବିଜୟ ହେବ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି-ବିଜେପୁରରେ ବଡ ବ୍ୟବଧାନରେ ଦଳ ବିଜୟୀ ହେବ । ବିଜେପି ଉପ ସଭାପତି କହିଛନ୍ତି-ନବୀନଙ୍କୁ ଘାରିଛି ଧର୍ମେନ୍ଦ୍ରଙ୍କ ଭୟ । ଏପଟେ- ପୂର୍ବତନ ପିସିସି ନିରଞ୍ଜନ ପଟ୍ଟନାୟକ ବିଜେପୁରରେ କଂଗ୍ରେସର ବିଜୟ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଆଉ ଏସବୁ ବୟାନବାଜି ଭିତରେ ଅପେକ୍ଷା ୨୮ ତାରିଖକୁ ।

କିଏ ଜିତିବ ବିଜେପୁର ବାଜି?କାହା ଉପରେ ଆସ୍ଥା ରଖିଛନ୍ତି ଭୋଟର?ଏହି ପ୍ରଶ୍ନର ଉତର ଯେତିକି ଜଟିଳ, ତିନି ଦଳର ରାଜନୈତିକ ସ୍ଥିତି ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ । ବୁଧବାର ଦିନ ଇଭିଏମ୍ ଖୋଲାହେଲା ବେଳେ ଜଣା ପଡିଯିବ କାହା ଉପରେ ରହିଛି ବିଜେପୁରବାସୀଙ୍କ ବିଶ୍ୱାସ ।ତେବେ ବିଜେପୁର ବାଜି ଜିତିବା ପାଇଁ ଆଶା ରଖିଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦି ବିଜେପି ଓ ବିଜେଡି । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଜିତାପଟ ନେଇ ପୁଣି ଥରେ ଦମ୍ଭୋକ୍ତି ଦେଖାଇଛନ୍ତି । ଏପରିକି ତାଙ୍କ ପ୍ରାର୍ଥୀ ବଡ ବ୍ୟବଧାନରେ ବିଜେପୁରରେ ବିଜୟୀ ହେବ ବୋଲି ନବୀନ କହିଛନ୍ତି ।

ଗୋଟିଏ ପଟେ ନବୀନବାବୁଙ୍କ ଭାବମୂର୍ତି ଉପରେ ବିଜେଡିର ଭରସା ଓ ଅନ୍ୟପଟେ ବିଜେପୁର ଜିତିବା ନେଇ ରହିଛି ବିଜେପିର ବିଶ୍ୱାସ । ବିଜେପି କହିଛି ଗତ ତିନଟି ନିର୍ବାଚନରେ ବିଜେପୁରବାସୀ ବିଜେଡିକୁ ପ୍ରତ୍ୟାଖାନ କରିଥିଲେ । ଗରିବଙ୍କ ପାଇଁ ମୋଦିଙ୍କ ଜନକଲ୍ୟାଣ ମୂଳକ ଯୋଜନା ବିଜେପୁରରେ ବିଜେପିକୁ ବିଜୟୀ କରାଇବ । ଏପରିକି ୨୦୦୦୦ରୁ ଉଦ୍ଧ୍ୱର୍ ଭୋଟରେ ବିଜେପି ବିଜେପୁରରେ ବିଜୟୀ ହେବ ବୋଲି ଦୃଢ ସହକାରେ ଦଳ କହିଛି ।

bijepurଦୁଇ ଦଳ ବିଜୟ ନେଇ ଆଶାବାଦୀ ରହିଥିବା ବେଳେ ଦ୍ୱନ୍ଦ୍ୱରେ ପଡିଛି କଂଗ୍ରେସ । ଅବଶ୍ୟ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଆଡକୁ ଟାଣି ନେଇଥିଲା ଦଳ । ତେବେ ବରିଷ୍ଠ ନେତା ନିରଜଂନ ପଟ୍ଟନାୟକ କହିଛନ୍ତି , ସୁସ୍ଥ ଗଣତନ୍ତ୍ର ପାଇଁ ଯେପରି ଉଦ୍ୟମ ଦରକାର ତାହା ପାଳନ କରିଛି କଂଗ୍ରେସ । କିନ୍ତୁ ଅନ୍ୟଦଳ ଅର୍ଥବଳ, ବାହୁବଳ ଦ୍ୱାରା ଏହି ନିର୍ବାଚନ ଲଢିଛନ୍ତି । ଅର୍ଥବଳ, ବାହୁବଳ ଠାରୁ ଦୂରେରେ ଥିଲା ଦଳ । ତେଣୁ କଂଗ୍ରେସ ଜିତିବା ନେଇ ସଂଦେହ ପ୍ରକଟ କରିଛନ୍ତି ନିରଂଜନ ।

ଜିତିବା ନେଇ ଯେତେ ଦମ୍ଭୋକ୍ତି ଦେଖାନ୍ତୁ, ସବୁ ଦଳ ମଧ୍ୟରେ ରହିଛି ଦ୍ୱନ୍ଦ୍ୱ । ବିଜେପୁର ବାଜି ଜିତିବା ନେଇ ରହିଛି ଆଶଙ୍କା । ଗଣତି ଦିନ ଯେତିକି ପାଖେଇ ଆସୁଛି, ମୁଣ୍ଡିଆଳମାନଙ୍କ ଛାତି ସେତିକି ଧଡଧଡ ହେଉଛି । କାରଣ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁର ଫଳାଫଳ ଦଳର ନୈତିକ ମନୋବଳକୁ ଯଥେଷ୍ଠ ପ୍ରଭାବିତ କରିବା ସମ୍ଭାବନା ରହିଛି । ୨୦୧୯ର କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି ବିଜେପୁର ମଇଦାନରୁ । ବିଜେପୁରର ଫଳାଫଳ ଉପରେ ନିର୍ଭର କରୁଛି ପ୍ରମୁଖ ଦଳଗୁଡିକର ପରବର୍ତୀ ରଣନୀତି ।