ବିପଦରେ ଶିମିଳିପାଳ ଅଭୟାରଣ୍ୟ । ଅବକ୍ଷୟ ମୁହାଁ କରୁଛି ଚାଲିଥିବା ମୋରମ ଖାଦାନ, ମୂଲ୍ୟବାନ ଗଛ ନଷ୍ଟ ହେବା ସମ୍ଭାବନା ।

687

କନକ ବ୍ୟୁରୋ : ବିପଦରେ ଶିମିଳିପାଳ ଅଭୟାରଣ୍ୟ । ପର୍ଯ୍ୟଟନ ଶିଳ୍ପକୁ ଅଭିବୃଦ୍ଧି କରିବା ପାଇଁ ବନବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଅଭୟାରଣ୍ୟକୁ ଅବକ୍ଷୟ ଆଡ଼କୁ ଟାଣି ନେଉଥିବା ଅଭିଯୋଗ ହୋଇଛି । ଅଭୟାରଣ୍ୟର କୋର ଏରିଆ ଭିତରେ ଚାଲିଛି ମୋରମ ଖାଦାନ । ଯାହାଫଳରେ ୧୫ରୁ ୨୦ ଫୁଟର ଗର୍ତ ସୃଷ୍ଟି ହେଉଛି ।

ଶିମିଳିପାଳ ଅଭୟାରଣ୍ୟର ବୋରେହିପାଣି, ଚହଲା, ଗୁଡ଼ଗୁଡ଼ିଆ ଭଳି କୋର ଓ ବଫର ଅଞ୍ଚଳରେ ବର୍ଷ ସାରା ଏକାଧିକ ମୋରମ ଖାଦାନ ତିଆରି ହୋଇଛି । ଯାହାଫଳରେ ୧୫ରୁ ୨୦ ଫୁଟର ଗର୍ତ ସୃଷ୍ଟି ହେଉଛି । ରାସ୍ତାର ରକ୍ଷଣାବେକ୍ଷଣା ପାଇଁ ଏବେ ପୁରା ଅଭୟାରଣ୍ୟକୁ ବିପଦ ମଧ୍ୟକୁ ଠେଲି ଦେବାକୁ ବସିଲାଣି ବନ ବିଭାଗ । ଯାହାର ଚିତ୍ର ସାମ୍ନାକୁ ଆସିଛି । ନିୟମ ଅନୁସାରେ ଶିମିଳିପାଳ ଅଭୟାରଣ୍ୟ ଅଧୀନ ଜଙ୍ଗଲରେ କୌଣସି ମତେ ମୋରମ କିମ୍ବା ମାଟି ଖୋଳାଯିବା ଉଚିତ ନୁହେଁ । ତେବେ ବେଆଇନ ଭାବେ ବଫର ଏରିଆରୁ ମୋରମ ଓ ମାଟି ଖୋଳି ରାସ୍ତା ନିର୍ମାଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ ।

ଶିମିଳିପାଳ ପର୍ଯ୍ୟଟନ ଶିଳ୍ପରେ ଅଭିବୃଦ୍ଧି ହେଉଥିବାରୁ ବନ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ନୂଆ ନୂଆ କଟେଜ ନିର୍ମାଣ ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଙ୍ଗଲ ସଫାରୀ, ମାଉଣ୍ଟେନ ସାଇକେଲିଂ ଭଳି ବ୍ୟବସ୍ଥା କରାଯାଇଛି । ଖାସ କରି ପର୍ଯ୍ୟଟକଙ୍କ ଯିବା ଆସିବାରେ ସୁବ୍ୟବସ୍ଥା କରିବାକୁ ଯାଇ ଅଭୟାରଣ୍ୟ ଅଞ୍ଚଳରେ ରାସ୍ତା ଗୁଡ଼ିକର ରକ୍ଷଣା ବେକ୍ଷଣା କରାଯାଉଛି । କିନ୍ତୁ ଅଭୟାରଣ୍ୟ ଭିତରେ ହେଉଥିବା ମୋରମ ଖାଦନକୁ ନେଇ ଏବେ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଖୋଦ ବିଭାଗୀୟ ଅଧିକାରୀ ଓ ବୋରେଇପାଣି ରେଞ୍ଜ ଅଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ପ୍ରକୃତିର ପସରା ମେଲାଇ ବସିଛି ସୌନ୍ଦର୍ଯ୍ୟରାଣୀ ଶିମିଳିପାଳ ଅଭୟାରଣ୍ୟ । ଘଞ୍ଚ ଜଙ୍ଗଲ ସାଙ୍ଗକୁ ସୁଉଚ୍ଚ ପର୍ବତ ଶିମିଳିପାଳର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ବିଶେଷକରି ଅଭୟାରଣ୍ୟରେ ଥିବା ବିଭିନ୍ନ ପ୍ରଜାତିର ଗଛ, ପଶୁ, ପକ୍ଷୀ, ସରିସୃପ ଓ ଗଛ ଲତା ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ହେଲେ କୋର ଏରିଆରୁ ଏଭଳି ମାଟି ଓ ମୋରମ ଖନନକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।