ତଥ୍ୟ ଦେଲେ ପୁରସ୍କାର, ଲୁଚାଇଲେ କାର୍ଯ୍ୟାନୁଷ୍ଠାନ । ବାହାରୁ ଆସୁଥିବା ଲୋକଙ୍କ ପାଇଁ ସରକାର ଜାରି କଲେ ନିର୍ଦ୍ଦେଶାବଳୀ ।

1,054

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ବାହାରୁ ଓଡ଼ିଶାକୁ ଆସୁଥିବା ଲୋକ ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ବାଧ୍ୟ । ଖାସକରି ଏବେଠାରୁ ଆପଣ ବାହାରୁ ଆସିବାର ୨୪ ଘଣ୍ଟା ମଧ୍ୟରେ ତଥ୍ୟ ଦେବା ବାଧ୍ୟତାମୂଳକ । ଏପରିକି ଆସିବା ପୂର୍ବରୁ ମଧ୍ୟ ସରକାରଙ୍କୁ ତଥ୍ୟ ଦେଲେ ଭଲ । ୧୦୪ରେ କଲ କରି କିମ୍ବା ଅନଲାଇନ ପୋର୍ଟାଲ COVID19.Odisha.gov.inରେ ପଞ୍ଜୀକରଣ କରିପାରିବେ ଲୋକେ ।

ଯେଉଁମାନେ ପୂର୍ବରୁ ମଧ୍ୟ ଓଡ଼ିଶା ଆସିଛନ୍ତି ସେମାନଙ୍କୁ ମଧ୍ୟ ତଥ୍ୟ ଦେବା ବାଧ୍ୟତାମୂଳକ । ମାର୍ଚ୍ଚ ୪ କିମ୍ବା ପରେ ଆସିଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟାର ମହଲତ ଦେଇଛନ୍ତି ସରକାର । ଆସନ୍ତାକାଲି ସକାଳ ୬ରୁ ୧୯ ତାରିଖ ସକାଳ ୬ଟା ସୁଦ୍ଧା ପଞ୍ଜୀକରଣ କରିପାରିବେ । ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀ ଚାହିଁଲେ ମଧ୍ୟ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ କରିଥିବା ଲୋକଙ୍କ ଉପରେ ସରକାର ନଜର ରଖିବେ । ଯଦି ନିୟମର ଉଲ୍ଲଂଘନ କଲେ ଆଇପିସି ଓ ସିଆରପିସି ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ନିୟମ ୧୫ ଏପ୍ରିଲ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ସ୍ଥଳବିଶେଷରେ ସ୍ଥିତିକୁ ପରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ । ବିଦେଶରୁ ବା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ୧୪ ଦିନ ପୃଥକୀକରଣ ହୋଇ ରହିବା ବହୁତ ଗୁରୂତ୍ୱପୂର୍ଣ୍ଣ । କାରଣ ଏହି ଅବଧି ମଧ୍ୟରେ ଶରୀରରେ କରୋନା ଭାଇରସ ସଂକ୍ରାନ୍ତରେ ରହିବାର ଆଶଙ୍କା ରହିଥାଏ ।

ପଞ୍ଜୀକରଣ କରୁଥିବା ଲୋକଙ୍କୁ ୧୫ ହଜାର ଟଙ୍କାର ସହାୟତା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ବଡକଥା ହେଉଛି ବାହାର ଆସୁଥିବା ଲୋକଙ୍କୁ ଜାଣିବା ପାଇଁ ଗୋଟିଏ ବ୍ୟବସ୍ଥା ତିଆରି କରିବାର ଏହା ଏକ ମାଧ୍ୟମ । ଏହାରି ଜରିଆରେ ସଂକ୍ରମିତ ଦେଶରୁ ଆସିଥିବା ଲୋକଙ୍କୁ ପୃଥକୀକରଣ କରି ରଖାଯାଇପାରିବ ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇପାରିବ । ରାଜ୍ୟ ସରାକାର କହିଛନ୍ତି, ଆପଣଙ୍କ ପଦକ୍ଷେପ, ଆପଣଙ୍କୁ, ଆପଣଙ୍କ ପଡୋଶୀ ଓ ଆପଣଙ୍କ ରାଜ୍ୟକୁ ସୁରକ୍ଷିତ ରଖିପାରିବ ।