ଆରମ୍ଭ ହେଲା କରୋନାର ବୁଷ୍ଟର ଡୋଜ୍ ଟିକାକରଣ : ବିଭିନ୍ନ ରୋଗରେ ପୀଡିତ ୬୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଆଗ ଧାଡିର କରୋନା ଯୋଦ୍ଧା ନେବେ ଟିକା

90

କନକ ବ୍ୟୁରୋ : ଆରମ୍ଭ ହେଲା କରୋନାର ପ୍ରିକସନାରୀ ଡୋଜ ବା ବୁଷ୍ଟର ଡୋଜ । ସ୍ୱାସ୍ଥ୍ୟ କର୍ମୀ, ଆଗ ଧାଡିର କରୋନା ଯୋଦ୍ଧା ଏବଂ ବିଭିନ୍ନ ରୋଗରେ ପୀଡିତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ତୃତୀୟ ଡୋଜ ନେଉଛନ୍ତି । ଏଥିପାଇଁ ନୂଆ ପଂଜିକରଣ କରିବାକୁ ପଡିବ ନାହିଁ । କେବଳ ଆପଏଂଟମେଂଟ ନେଇ ପ୍ରିକସନ ଡୋଜ ନେଇ ହେବ । ତେବେ ଦ୍ୱିତୀୟ ଡୋଜ ଟିକା ନେବାର ୩୯ ସପ୍ତାହ ବିତିଥିବା ଆବଶ୍ୟକ ।

ବିଭିନ୍ନ ରୋଗରେ ପୀଡିତ ବରିଷ୍ଠ ନାଗରିକମାନେ ଡାକ୍ତରୀ ପରାମର୍ଶ ଅନୁସାରେ ଟିକା ନେବେ । ପୂର୍ବରୁ ଯିଏ ଯେଉଁ ଟିକା ନେଇଥିବେ ଏବେ ପ୍ରିକସନାରୀ ଡୋଜ ଭାବେ ସେହି ଟିକା ନେବେ । ଅର୍ଥାତ୍ ଯିଏ କୋଭାକ୍ସିନର ଦୁଇ ଡୋଜ ଟିକା ନେଇଥିବେ ସେମାନେ ବୁଷ୍ଟର ଡୋଜ ଭାବେ ସେହି କୋଭାକ୍ସିନ ଦିଆଯିବ । ସେହିପରି କୋଭିସିଲ୍ଡ ନେଇଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ସେହି କୋଭିସିଲ୍ଡ ଟିକା ନେବେ । ଶନିବାର ସଂଧ୍ୟାରୁ ଅନଲାଇନ ଆପଏଂଟମେଂଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁମାନେ ଅନଲାଇନ୍ ଆପଏଂଟମେଂଟ ନେଇନଥିବେ ସେମାନେ ଅନସାଇଟ୍ ବା ଟିକାକରଣ କେନ୍ଦ୍ରରେ ଆପଏଂଟମେଂଟ ନେଇ ତୃତୀୟ ଡୋଜ ନେଇପାରିବେ ।