ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ ! ବରଯାତ୍ରୀରେ ନାଚି ପାରିବେ ନାହିଁ ମହିଳା ?

5,127

କନକ ବ୍ୟୁରୋ : ଭାରତୀୟ ବିବାହରେ ଅନେକ ପ୍ରକାରର ରୀତିନୀତିର ପାଳନ କରାଯାଏ । ପୂର୍ବରୁ ମାତ୍ର ୨-୩ଟି ପ୍ରଥା ରହିଥିବା ବେ‌ଳେ ଏବେ ବିବାହ ପୂର୍ବରୁ ଏବଂ ପରେ ଅନେକ ପ୍ରକାରର ଉତ୍ସବର ଆୟୋଜନ କରାଯାଉଛି । ବିବାହ ପୂର୍ବରୁ ଏବେ ହଲଦୀ, ମେ‌ହନ୍ଦୀ, ସଙ୍ଗୀତ୍, କକଟେଲ୍ ପାର୍ଟି ଓ ପ୍ରି-ୱେଡିଙ୍ଗ୍ ଫଟୋସୁଟ୍ କରାଯାଉଥିବା ବେଳେ ବିବାହ ପରେ ବିବାହର ଭୋଜି, ପୋଷ୍ଟ ୱେଡିଙ୍ଗ ଫଟୋସୁୁଟ୍ ଇତ୍ୟାଦି କରାଯାଉଛି । କିଛି ବର୍ଷ ପୂର୍ବେ ଏଭଳି କିଛି ନୂଆ ନୂଆ ଜିନିଷ ଆରମ୍ଭ ହୋଇଥିବା ବେଳେ ଧିରେ ଧିରେ ଏହାକୁ ସମସ୍ତେ ଆପଣାଇ ସାରିଲେଣି ।

କିନ୍ତୁ ଏବେ ଭୋପାଳରେ ରହୁଥିବା ‌ଜୈନ୍ ଓ ଗୁୁଜୁରାଟୀ ସମାଜ ସଂସ୍ଥା ପ୍ରି-ୱେଡିଙ୍ଗ୍ ଫଟୋସୁଟ୍ ଓ ପୁରୁଷ କୋରିଓଗ୍ରାଫରଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହ ବରଯାତ୍ରୀରେ ମହିଳାମାନେ ନାଚି ପାରିବେ ନାହିଁ ବୋଲି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ଜୈନ୍ ଓ ଗୁୁଜୁରାଟୀ ସମାଜ ସଂସ୍ଥା ଏକ ସର୍କୁଲାର ଜାରି କରି ସମୁଦାୟର ସଦସ୍ୟଙ୍କୁ ଏ ନେଇ ସୂଚନା ଦେଇଛନ୍ତି । ଏହି ସବୁ ଜିନିଷ ଆମ ସଂସ୍କୃତି ବିରୁଦ୍ଧ ଓ ଆମ ସମାଜରେ ସମସ୍ୟା ସୃଷ୍ଟି କରୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଯାଉଥିବା ନେଇ ସର୍କୁଲାରରେ କୁହାଯାଇଛି । ଏହା ସହ ଯେଉଁମାନେ ଏହି ନିୟମକୁ ନ ମାନିବେ ସେମାନଙ୍କୁ ସମୁଦାୟର ବହିଷ୍କାର କରାଯିବ ।