ହକି ବିଶ୍ୱକପ ପୂର୍ବରୁ ଏମିତି ସଜେଇ ହେବ ଭୁବନେଶ୍ୱର ! ଆପଣଙ୍କ ଆଖି ଝଲସିଯିବ ।

162

ହକି ବିଶ୍ୱକପ ପୂର୍ବରୁ ଝଲସି ଉଠିବ ସ୍ମାର୍ଟସିଟି ଭୁବନେଶ୍ୱର । ସଜେଇ ହେବ ରାଜଧାନୀ । ହକି ବିଶ୍ୱକପ ପ୍ରସ୍ତୁତି ନେଇ ଆଜି ସଚିବାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଶ୍ୱକପ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ହକିର ମହାପର୍ବ ନେଇ ଆସୁଛି ଓଡିଶା । ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ହକି ବିଶ୍ୱକପ । ଆଉ ଏହା ପୂର୍ବରୁ ଝଲସି ଉଠିବ ଭୁବନେଶ୍ୱର । ବିଭିନ୍ନ ପବ୍ଲିକ ପ୍ଲେସରେ ଯଥେଷ୍ଟ ଆଲୋକ ବ୍ୟବସ୍ଥା କରାଯିବ । ଏହା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ଚିତ୍ର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରରେ ଥିବା ବସ ଷ୍ଟପ ଗୁଡିକର ଉନ୍ନତିକରଣ କରାଯିବା ସହ କଳିଙ୍ଗ ଷ୍ଟାଡିୟମ ଆଗରେ ଏକ ଫୁଟ ଓଭରବ୍ରିଜ କରାଯିବା ନେଇ ଯୋଜନା ହୋଇଛି । ଆଜି ବୈଠକରେ ବିଶେଷ କରି ଟ୍ରାଫିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।

ବିଶ୍ୱକପରେ ମୋଟ ୧୬ଟି ଦେଶ ଭାଗ ନେବାକୁ ଆସୁଥିବା ବେଳେ ସେମାନଙ୍କ ରହଣୀ ଏବଂ ସୁରକ୍ଷା ବାବଦରେ ଆଜି ବୈଠକରେ ଆଲୋଚନା କରାଯାଇଥିଲା । ନଭେମ୍ବର ୨୮ ତାରିଖରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ସବୁ ଜିଲ୍ଲାଗୁଡିକରେ ବିଶ୍ୱକପ ନେଇ ପ୍ରଚାର ପ୍ରସାର କରାଯିବ । ତେବେ ଲଣ୍ଡନଠାରେ ଏବେ ଠାରୁ ହକି ବିଶ୍ୱକପ ୨୦୧୮ ପାଇଁ ପ୍ରଚାର ପ୍ରସାର ଆରମ୍ଭ ହୋଇସାରିଲାଣି । ଆଜି ହୋଇଥିବା ସମୀକ୍ଷା ବୈଠକରେ କ୍ରୀଡା ସଚିବ ବିଶାଲ ଦେବଙ୍କ ସମେତ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ବିଏମସି କମିଶନର କିଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।