ଜନମତ ସର୍ଭେରେ ବିହାରରେ ପୁଣି କ୍ଷମତାକୁ ଫେରିବ ଏନଡିଏ । ସେପଟେ ତେଜସ୍ୱୀଙ୍କ ନିର୍ବାଚନୀ ସଭାରେ ପ୍ରବଳ ଜନସମାଗମ । ଉତ୍ସାହିତ ମହାମେଂଟ, ଅଡୁଆରେ ପଡିପାରେ ଏନଡିଏ ।

405

କନକ ବ୍ୟୁରୋ : ବିହାରରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର ହୋଇଛି । ଗୋଟିଏ ପଟେ ଜନମତ ସର୍ଭେରେ ଏନଡିଏ ବାଜିମାତ କରିବ ବୋଲି ସଙ୍କେତ ମିଳୁଛି । ଅପରପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ରାଲିରେ ଲୋକଙ୍କ ସମାଗମ ଏନଡିଏର ଚିନ୍ତା ବଢାଇ ଦେଇଛି । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଅନୁପସ୍ଥିତିରେ ତେଜସ୍ୱୀଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି ଏହି ନିର୍ବାଚନ । କେନ୍ଦ୍ର ସରକାରଙ୍କ ସମେତ ମୁଖ୍ୟତଃ ନୀତିଶ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ତେଜସ୍ୱୀ ଯାଦବ । ନିର୍ବାଚନୀ ପ୍ରଚାରରେ ଦଳର ମଙ୍ଗ ଧରିଥିବା ତେଜସ୍ୱୀ ପ୍ରତିଦିନ ୬ରୁ ଅଧିକ ନିର୍ବଚନୀ ସଭାରେ ଯୋଗ ଦେଉଛନ୍ତି, ଯେଉଁଥିରେ କରୋନା କଟକଣା ସତ୍ୱେ ଲୋକଙ୍କ ଭିଡ ଜମୁଛି । ଏପରି ଭିଡକୁ ପରିବର୍ତନର ଆଭାସ ବୋଲି ବିହାରରେ ମହାମେଂଟ ବେଶ ଉତ୍ସାହିତ ହୋଇ ପଡିଛି ।

ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ଯାହା ବିରୋଧୀଙ୍କ ଚିନ୍ତା ବଢାଇ ଦେଇଛି । ତେବେ ରାଲିରେ ଲୋକଙ୍କ ଭିଡ ଭୋଟରେ ପରିବର୍ତନ ହେଉଛି କି ନାହିଁ ତାହା ନଭେମ୍ବର ୧୦ତାରିଖରେ ହିଁ ସ୍ପଷ୍ଟ ହେବ । ଅପରପକ୍ଷରେ ନିର୍ବାଚନ ପ୍ରଚାର ପୂର୍ବରୁ ୧୦ଲକ୍ଷ ଚାକିରି ଦେବାର ପ୍ରତିଶୃତି ଦେଇଥିଲେ ତେଜସ୍ୱୀ । ସେବେଠାରୁ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ବେକାରୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ ଆରଜେଡି । ସେପଟେ ଆରଜେଡି ୧୦ଲକ୍ଷ ଚାକିରି ପାଇଁ କଣ ଜେଲରୁ ଅର୍ଥ ଆଣିବ କି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ସେପଟେ ରାମ ବିଲାସ ପାଶୱାନଙ୍କ ଦେହାନ୍ତ ପରେ ପୁଅ ଚିରାଗ ପାଶୱାନ ବୁଧବାର ଠାରୁ ନିର୍ବାଚନୀ ପ୍ରଚାରକୁ ଓହ୍ଳାଇଛନ୍ତି । ଏଲଜେପିର ଭିଜନ ଡକ୍ୟୁମେଂଟ ଜାରି କରି କେନ୍ଦ୍ର ସରକାରଙ୍କ ଯୋଜନାକୁ ନୀତିଶ ସରକାର ନିଜର ବୋଲି ଦାବି କରିଥିବା କହିଛନ୍ତି ଚିରାଗ । ରାଜ୍ୟରେ ମେଡିକାଲ ଓ ଇଂଜିନିୟରିଂ କଲେଜ ପ୍ରତିଷ୍ଠା । ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଓ ସରକାର ଗଠନ ହେଲେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟର ପ୍ରତିଶୃତି ଦେଇଛି ଏଲଜେପି ।

ସେପଟେ ବିହାର ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ନିର୍ବାଚନୀ ଇସ୍ତାହାର ଜାରି କରି ସରକାର ଗଠନ ହେଲେ ଚାଷୀ ଋଣ ମାଫ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ବିହାରରେ ଅକ୍ଟୋବର ୨୮, ନଭେମ୍ବର ୩ ଓ ନଭେମ୍ବର ୭ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ପଡିବ । ଏବଂ ନଭେମ୍ବର ୧୦ତାରିଖରେ ଭୋଟ ଗଣତି ହେବ ।