କନକ ବ୍ୟୁରୋ : ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ଆଜି ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିବେ । ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବାରୁ ସେ ଏଥର ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । କିଛି ଦିନ ତଳେ ବଜେଟ୍ ପାଇଁ ଜନସାଧାରଣଙ୍କ ମତ ଲୋଡ଼ିଥିଲେ । ଏଥିପାଇଁ ହ୍ବାଟ୍ସଆପ୍, ଇ-ମେଲ ଓ ଏସ୍ଏମ୍ଏସ୍ ସୁବିଧା କରାଯାଇଥିଲା । ରାଜ୍ୟର ନୂଆ ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଛନ୍ତି । ସେଥିପାଇଁ ବଜେଟ୍‌ରେ ସାଧାରଣ ଲୋକଙ୍କ କଲ୍ୟାଣ ନେଇ କିଛି ଘୋଷଣା କରିପାରନ୍ତି ।

Advertisment

ଏହା ବାଦ୍ ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନରେ ବିଜୟୀ ହୋଇଛି ତାହାର ପ୍ରତିଫଳନ ମଧ୍ୟ ବଜେଟ୍‌ରେ ଦେଖିବାକୁ ମିଳିପାରେ । ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କାର ସହାୟକ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ୍ ଦେବାକୁ ପଡ଼ିବ । ସେହିପରି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ ମଧ୍ୟ ପ୍ରତିଶ୍ରତି ଦେଇଛି ବିଜେପି ।