୨୦୧୯ ନିର୍ବାଚନ ପୂର୍ବରୁ ବଜେଟ ଉପସ୍ଥାପନା କରିବେ ସରକାର । ଲୋକଙ୍କୁ ଖୁସି କରିବା ପାଇଁ ଭଣ୍ଡାର ଖୋଲିଦେବେ କି ନବୀନ

54

କନକ ବ୍ୟୁରୋ : ଆଜି ରାଜ୍ୟ ସରକାର ପକ୍ଷରୁ ପ୍ରାକ୍ ବଜେଟ ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ଓ ବହୁ ଆମନ୍ତ୍ରିତ ବିଶେଷଜ୍ଞ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି ।  ଆସନ୍ତା ୨୦୧୭-୧୮ ଆର୍ଥିକ ବର୍ଷର  ବଜେଟରେ କୃଷି ଓ କୃଷକମାନଙ୍କୁ  ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି ।  ପ୍ରଥମ ପର୍ଯ୍ୟାୟ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୁମିର ବିକାଶ ଏବଂ କର୍ମ ନିୟୋଜନ କ୍ଷେତ୍ରରେ ବଜେଟ ଆଗତ କରିବାକୁ ଆଲୋଚନା ହୋଇଛି ।

ଆସନ୍ତା ବର୍ଷ ନିର୍ବାଚନୀ ବର୍ଷ ଥିବା ବେଳେ ଲୋକଙ୍କୁ ସୁହାଇବା ପରି ବଜେଟ ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରନ୍ତି ବୋଲି ଆଶା କରାଯାଉଛି । କାରଣ ୨୦୧୪ ନିର୍ବାଚନୀ ଘୋଷଣା ପତ୍ରରେ ବିଜେଡି ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଏହାକୁ କାର୍ଯ୍ୟକାରୀ କରିବା ନେଇ ଆସନ୍ତା ବଜେଟରେ ଗୁରୁତ୍ୱଦେବା ସମ୍ଭାବନା ରହିଛି । ସେହିପରି ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେବାକୁ ଯାଇ କିଛି ନୂଆ ଯୋଜନା ଘୋଷଣା ହେବା ସମ୍ଭାବନା ରହିଛି । ଅନ୍ୟପଟେ ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ନେଇ ବହୁ ସମୟରେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ମଧ୍ୟ ଆଗାମୀ ବଜେଟରେ ରାଜ୍ୟ ସରକାର କେତେକ ପଦକ୍ଷେପ ନିଆଯିବା ସମ୍ଭାବନା ରହିଥିବା କୁହାଯାଉଛି ।

ଅନ୍ୟପଟେ ନିକଟ ଅତୀତରେ ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି ନେଇ ହୋଇଥିବା ଘୋଷଣା ପାଇଁ ମଧ୍ୟ ରାଜ୍ୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ । ସେହିପରି ଖଣିଖାଦାନ ଥିବା ଜିଲ୍ଲାରେ ଭିତିଭୂମିର ବିକାଶ ପାଇଁ ମଧ୍ୟ କିଛି ଘୋଷଣା ହୋଇପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ବେଆଇନ ଖଣି ଖନନ ଜରିମାନା ବାବଦରେ ରାଜ୍ୟ ସରକାର ବର୍ତମାନ ୮ ହଜାର ୨ଶହ କୋଟି ଟଙ୍କା ପାଇଛନ୍ତି । ଏହାଛଡା ଆସନ୍ତା ଡିସେମ୍ବରରେ କଳିଙ୍ଗ ଷ୍ଟାଡିଅମରେ ବିଶ୍ୱ ପୁରୁଷ ହକି କପ୍ ମୁକାବିଲା ହେବ । ଏହାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିଅମର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ବଜେଟରେ ବ୍ୟବସ୍ଥା ରଖିବା ସମ୍ଭାବନା ରହିଛି । ଫେବୁଆରୀ ମଧ୍ୟଭାଗରେ ୨୦୧୭-୧୮ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଆସିପାରେ ।