କନକ ବ୍ୟୁରୋ: ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏବେ ତାଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ । ଏହି ସୁଇସାଇଡ୍ ନୋଟରେ ତାଙ୍କର ଜଣେ ଶିଷ୍ୟଙ୍କ ବିଷୟରେ ଉଲ୍ଲେଖ ରହିଛି । ଯିଏକି ଲଗାତାର ଭାବେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ହଇରାଣ କରୁଥିଲେ ବୋଲି କୁହାଯାଉଛି । ଏହି ଘଟଣା ପରେ ପୋଲିସ ସେହି ଶିଷ୍ୟ ଜଣଙ୍କୁ ନିଜ ହେପାଜତକୁ ନେବା ସହିତ ଏହି ଘଟଣାରେ ଛାନଭିନ୍ ଜାରି ରଖିଛି ।
ଆଜି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ତାଙ୍କ ବାଙ୍ଘବରୀ ମଠରୁ ଉଦ୍ଧାର କରାଯାଇଥିଲା । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରିିଥିଲା ପୋଲିସ । ମୃତଦେହ ଉଦ୍ଧାର କରିବା ସମୟରେ ଘରର ଚାରିପଟ ବନ୍ଦ ରହିବା ସହିତ ଘରର କବାଟ ମଧ୍ୟ ଭିତର ପଟୁ ବନ୍ଦ ଥିଲା । ତେଣୁ ପୋଲିସ ପ୍ରାଥମିକ ତଦନ୍ତ ପରେ ଏହାକୁ ଏକ ଆତ୍ମହତ୍ୟା ମାମଲା ବୋଲି କହୁଛି । ତେବେ ଘଟଣାସ୍ଥଳରେ ଏବେ ଫରେନ୍ସିକ୍ ଟିମ୍ ପହଞ୍ଚିବା ସହିତ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।
ପ୍ରୟାଗରାଜ ପୋଲିସର କହିବା ମୁତାବକ, ମହନ୍ତଙ୍କ ମୃତଦେହ ମିଳିଥିବା କୋଠରୀରୁ ୬-୭ ପେଜର ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି । ଯେଉଁଥିରେ ମହନ୍ତ ନରେନ୍ଦ୍ର ଗିରି ତାଙ୍କ ଶିଷ୍ୟଙ୍କ ନାଁ ଉଲ୍ଲେଖ କରିଛନ୍ତି । ତାଙ୍କୁ ଲଗାତାର ହଇରାଣ କରାଯାଉଥିବାରୁ ସେ ତାଙ୍କ ଜୀବନ ସମାପ୍ତ କରୁଥିବା ଚିଠିରେ ଲେଖାଯାଇଛି । ସେ ସବୁବେଳେ ଗର୍ବର ସହ ଜୀବନ ଜିଇଛନ୍ତି, ଏହା ବିନା ସେ ବଞ୍ଚିପାରିବେନି ।
अखाड़ा परिषद के अध्यक्ष श्री नरेंद्र गिरि जी का देहावसान अत्यंत दुखद है। आध्यात्मिक परंपराओं के प्रति समर्पित रहते हुए उन्होंने संत समाज की अनेक धाराओं को एक साथ जोड़ने में बड़ी भूमिका निभाई। प्रभु उन्हें अपने श्री चरणों में स्थान दें। ॐ शांति!!
— Narendra Modi (@narendramodi) September 20, 2021
ତେବେ ମହନ୍ତ ନରେନ୍ଦ୍ର ଗିରିଙ୍କ ଏଭଳି ମୃତ୍ୟୁ ପରେ ଅନେକ ନେତା,ମନ୍ତ୍ରୀ ତାଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ମହନ୍ତ ନରେନ୍ଦ୍ର ଗିରିଙ୍କ ଦେହାବସାନ ଅତ୍ୟନ୍ତ ଦୁଃଖଦ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଟୁଇଟ୍ କରି ନିଜର ଶୋକବ୍ୟକ୍ତ କରିଛନ୍ତି ।