ଭିଏଚପି ଜାତୀୟ କାର୍ଯ୍ୟକାରୀ ସଭାପତି ପ୍ରବୀଣ ତିଗୋଡିଆଙ୍କ ସାମ୍ବାଦିକ ସମ୍ମିଳନୀ ! କହିଲେ,ତାଙ୍କୁ ଏନକାଉଂଟର ପାଇଁ କରାଯାଇଥିଲା ଉଦ୍ୟମ

53

କନକ ବ୍ୟୁରୋ: ଭିଏଚପି ଜାତୀୟ କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗଡିଆ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜସ୍ଥାନ ପୁଲିସ ତାଙ୍କୁ ଏନକାଉଂଟର କରିବା ପାଇଁ ଉଦ୍ୟମ କରିଥିବା ସେ କହିଛନ୍ତି  । ଏଥିପାଇଁ ସେ ନିଜେ ଭିଏଚପି କାର୍ଯ୍ୟାଳୟରୁ ଗାଏବ ହୋଇଯାଇଥିଲେ । ଏପରିକି ରାଜସ୍ଥାନ ଗୃହମନ୍ତ୍ରୀଙ୍କ ସହ ତୋଗଡିଆ ଆଲୋଚନା କରିଥିଲେ ମଧ୍ୟ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନଥିଲା ବୋଲି ତୋଗଡିଆ କହିଛନ୍ତି  । ତାଙ୍କ ନାଁରେ ରାଜସ୍ଥାନରେ ଗୋଟିଏ ବି ୱାରେଂଟ ନଥିବା ବେଳେ ତୋଗଡିଆଙ୍କ ବିରୋଧରେ ବଡ ଷଡଯନ୍ତ୍ର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଏଚପି ଜାତୀୟ କାର୍ଯ୍ୟକାରୀ ସଭାପତି ।

ସେ ଆହୁରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ହିନ୍ଦୁ ଏକତା ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି । ରାଜସ୍ଥାନ ପୁଲିସ ତାଙ୍କ ନିକଟକୁ ଆସିବା ନେଇ ତାଙ୍କ ପାଖରେ ସୂଚନା ଥିଲା ବୋଲି ତୋଗଡିଆ କହିଛନ୍ତି । ତେବେ ଜଣେ ବ୍ୟକ୍ତି ଆସି ପୁଲିସ ତୋଗଡିଆଙ୍କ ଏନକାଉଂଟର ଷଡଯନ୍ତ୍ର ରଚିଥିବା ସୂଚନା ଦେଇଥିଲେ । ଏଥିପାଇଁ ସେ ନିଜ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସୂଚନା ଦେବା ପରେ ଫୋନ୍ ସ୍ୱିଚ ଅଫ୍ କରି ଅଟୋ ଯୋଗେ କାର୍ଯ୍ୟାଳୟରୁ ବାହାରି ଯାଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

ସୂଚନା ମୁତାବକ, ସୋମବାର ସକାଳୁ ବିଶ୍ୱ ହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡିଆଙ୍କ ନିଖୋଜ ନେଇ ଖବର ପରେ ସଂଧ୍ୟାରେ ଗୁଜରାଟ ଅହମ୍ମଦାବାଦର ସାହିବାଗ ଅଂଚଳରୁ ତାଙ୍କୁ ଉଦ୍ଧାର କରାଯାଇଛି । ରକ୍ତରେ ଶର୍କରାର ମାତ୍ରା କମିଯିବାରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ସାହିବାଗର ଚନ୍ଦ୍ରମଣି ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ଦେଇଛି ଅହମ୍ମଦାବାଦ କ୍ରାଇମବ୍ରାଂଚ ପୁଲିସ । ଚନ୍ଦ୍ରମଣି ହସ୍ପିଟାଲର ଡାକ୍ତର ରୁପ କୁମାର ଅଗ୍ରୱାଲଙ୍କ କହିବା ଅନୁସାରେ ତୋଗାଡିଆଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା ।

ଅନ୍ୟପଟେ ଗତକାଲି ଦିନତମାମ ତୋଗଡିଆଙ୍କୁ ଗିରଫ କରାଯାଇଥିବା ଅଭିଯୋଗରେ ଅହମ୍ମଦାବାଦରେ ପ୍ରବଳ ହଙ୍ଗାମା କରିଛନ୍ତି ସମର୍ଥକ । ତୋଗଡିଆ ନିଖୋଜ ଥିବାରୁ ତାଙ୍କୁ ଗିରଫ କରାଯାଇଥିବା ସନ୍ଦେହରେ ଭିଏଚପି କର୍ମୀ ଅହମ୍ମଦାବାଦ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୋଗଡିଆଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିନେଇଥିବା ସନ୍ଦେହ କରୁଥିଲେ ଭିଏଚପି କର୍ମୀ । ହେଲେ ରାଜସ୍ଥାନ ପୋଲିସ କିମ୍ବା ସ୍ଥାନୀୟ ଅହମ୍ମଦାବାଦ ପୋଲିସ ତୋଗଡିଆଙ୍କୁ ଗିରଫ କରିନଥିବା ସ୍ପଷ୍ଟ କରିଥିଲେ ।