ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି । କଳ୍ପନା ଜଳ୍ପନା ଭିତରେ ଆଶ୍ୱସ୍ତି ଦେଲା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମନ୍ତବ୍ୟ । କହିଲେ, ପୂରଣ ହେବ ବିକଶିତ ଓଡ଼ିଶାର ସ୍ୱପ୍ନ

385

କନକ ବ୍ୟୁରୋ: ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି, ପୂରଣ ହେବ ବିକଶିତ ଓଡ଼ିଶାର ସ୍ୱପ୍ନ । ସରକାର ବଦଳିବା ପରେ ମିଶନ ଶକ୍ତିକୁ ନେଇ ବିଭିନ୍ନ ଚର୍ଚ୍ଚା ଭିତରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଚିବ ଓ ବରିଷ୍ଠ ଅଧିକାରୀ ସହ ବିଭାଗର ସମୀକ୍ଷା ପରେ ପ୍ରଭାତୀ ପରିଡ଼ା କହିଛନ୍ତି, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ଏବଂ ୟୁଏନ୍ ଏଜେନ୍ସି ସହିତ ଅନୁବନ୍ଧିତ । ବିଶ୍ୱ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଦେଶର ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ । ମିଶନ ଶକ୍ତି ବିଭାଗ ବିକଶିତ ଓଡ଼ିଶାର ସ୍ୱପ ପୂରଣ କରିପାରିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।

ଏବେ ମିଶନ ଶକ୍ତିରେ …

  • ୬ ଲକ୍ଷ ୨ ହଜାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଅଛନ୍ତି
  • ପ୍ରତି ଗ୍ରୁପରେ ୧୦ରୁ ୧୨ ମହିଳା ସଦସ୍ୟ ରହିଛନ୍ତି
  • ମୋଟ ପ୍ରାୟ ୭୨ ଲକ୍ଷ ମହିଳା ସଦସ୍ୟ ଅଛନ୍ତି

ମିଶନ ଶକ୍ତିର ଏହି ବିଶାଳ ସଂଗଠନର ଭବିଷ୍ୟତ କ’ଣ ହେବ, ଏହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ସଙ୍କେତ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆ ସରକାର । ବିଜେପି ତା’ ଇସ୍ତାହାରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ।

ମୋଦୀ ଗ୍ୟାରେଣ୍ଟି-୨୦୨୪

  • ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା
  • ୨୦୨୪-୨୫ରେ ୧୬ ଲକ୍ଷ ୧୯ ହଜାର ‘ଲକ୍ଷପତି ଦିଦି’ ପାଇଁ ଲକ୍ଷ୍ୟ ରହିଛି
  • ଏଥିକୁ ଦୃଷ୍ଟିରେ ରଖି ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଶିଳ୍ପ କ୍ଲଷ୍ଟର ପ୍ରତିଷ୍ଠା
  • ମହିଳା ଉଦ୍ୟୋଗୀଙ୍କୁ ଦିଆଯିବ ପ୍ରୋତ୍ସାହନ
  • କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପରିଣତ କରିପାରିଲେ ଏସଏଚଜି ଗ୍ରୁପକୁ ମୂଳ ଋଣର ୧୦ ପ୍ରତିଶତ ଛାଡ଼
  • ‘ସୁଭଦ୍ରା ଯୋଜନା’ରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ,ଯାହାକୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ମହିଳା

ମିଶନ ଶକ୍ତିର ଭବିଷ୍ୟତ?

  • ମିଶନ ଶକ୍ତିରେ କିଛି ପରିବର୍ତ୍ତନ କରିପାରନ୍ତି ସରକାର
  • ନା’ ପରିବର୍ତ୍ତନ ହେବା ସମ୍ଭାବନା ମଧ୍ୟ ରହିଛି
  • ଋଣ ରାଶି ବୃଦ୍ଧି ହୋଇପାରେ

ତେବେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ରାଜ୍ୟର ସବୁଠୁ ବଡ଼ ଭୋଟ ବ୍ୟାଙ୍କ କୁହାଯାଉଥିବା ବେଳେ ଏହାକୁ ହାତଛଡ଼ା କରିବାକୁ ଚାହିଁବ ନାହିଁ ରାଜ୍ୟରେ ପ୍ରଥମ ଥର ସରକାର ଗଠନ କରିଥିବା ବିଜେପି ।