ଜିତୁ ଜିତୁ ସିଧା ଉପମୁଖ୍ୟମନ୍ତ୍ରୀ: ପ୍ରଭାତୀ ପରିଡାଙ୍କୁ ‘ଉପମୁଖ୍ୟମନ୍ତ୍ରୀ’ ଉପହାର ଦେଲା ବିଜେପି

986

କନକ ବ୍ୟୁରୋ: ଘୋଷଣା ହୋଇଛି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋହନ ମାଝୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ୨୫ ବର୍ଷ ପରେ ଓଡିଶା ପୁଣି ପାଇଛି ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଏହି ଦୁଇ ନାଁ ଭିତରୁ ପ୍ରଭାତୀ ପରିଡାଙ୍କ ନାଁ ଏବେ ଚର୍ଚ୍ଚାରେ ରହିଛି । କାରଣ ତାଙ୍କର ପ୍ରଥମ ବିଜୟରେ ତାଙ୍କୁ ବଡ ଉପହାର ଦେଇଛି ବିଜେପି । ତାଙ୍କୁ ସିଧା ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି ।

ପ୍ରଭାତୀ ପରିଡା ୨୦୦୯ ମସିହାରୁ ରାଜନୀତିରେ ପାଦ ଥାପିଥିଲେ । ସେ ପ୍ରଥମେ ୨୦୦୯ରେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୧୯ରେ ବି ସେ ପରାଜିତ ହୋଇଥିଲେ । ଏତେ ଥର ନିର୍ବାଚନ ହାରିବା ପରେ ସେ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରିଥିଲେ । ତେଣୁ ୨୦୨୪ରେ ବି ଦଳ ତାଙ୍କୁ ଭରସା କରି ଟିକେଟ ଦେଇଥିଲା ଆଉ ସେ ବିଜୟୀ ହୋଇଥିଲେ । ଆଉ ଜିତୁ ଜିତୁ ଦଳ ତାଙ୍କୁ ଉପହାର ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି ।

ପ୍ରଭାତୀ ପରିଡା ବିଜେପିର ଜଣେ ସକ୍ରିୟ ସଦସ୍ୟ ରହିଥିଲେ । ସେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଭାବେ କାମ କରିଥିଲେ । ୨୦୨୪ ନିର୍ବାଚନରେ ବିଜେପିରୁ ପ୍ରଭାତୀ ପରିଡା ୯୫ ହଜାର ୪୩୦ ଭୋଟ ପାଇଥିଲେ । ଆଉ ବିଜେଡି ପ୍ରାର୍ଥୀ ୯୦ ହଜାର ୮୪୨ ଖଣ୍ଡ ଭୋଟ ପାଇ ୪ ହଜାର ୫୮୯ ଭୋଟରେ ପରାଜିତ ହୋଇଥିଲେ ।