ସିଏମସି କମିଶନରଙ୍କ ଆଚରଣରେ ପ୍ରବଳ ଖପ୍ପା ବିଧାୟକଙ୍କ ବାପା : ଜିଲ୍ଲାପାଳଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ ବିଶ୍ୱାଳ

 କଟକ ନୂଆପଡ଼ା ବାଲିସାହି ଓ ଚାଉଳିଗଂଜ ବସ୍ତି ବାସିନ୍ଦାଙ୍କ ପାଇଁ କଲେ ଓକିଲାତି

220

କନକ ବ୍ୟୁରୋ : ଅଫିସରଙ୍କ ଉପରେ ଖପ୍ପା, ବିଧାୟକଙ୍କ ବାପା । ଆମେ କହୁଛୁ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳକଙ୍କ ବାପା ପ୍ରଭାତ ବିଶ୍ୱାଳଙ୍କ କଥା । କଟକ ନୂଆପଡା ବାଲିସାହି ବସ୍ତି ଓ ଚାଉଳିଆଗଞ୍ଜ ଅଂଚଳର ବସ୍ତିବାସିନ୍ଦାଙ୍କ ପାଇଁ ନିଜ ପୁଅ ତଥା କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ସହ ପୂର୍ବତନ ବିଧାୟକ ତଥା ବାପା ପ୍ରଭାତ ବିଶ୍ୱାଳଙ୍କୁ ୧୦ କିଲୋମିଟର ବାଟ ଚାଲିବାକୁ ପଡିଛି । ସିଏମସି କମିଶନରଙ୍କ ସହ ସାକ୍ଷାତ ନହେବାରୁ ଜିଲ୍ଲାପାଳଙ୍କ ସାମ୍ନାରେ ନିଜର ଅସନ୍ତୋଷ ଛାଡିଛନ୍ତି ପ୍ରଭାତ । ଏପରିକି କମିଶନର ଆଜିଠାରୁ ଆଉ ଚୌଦ୍ୱାର ନଯିବା କିମ୍ବା କୌଣସି ବିକାଶ କାମ ନକରିବା ପାଇଁ ସେ କଡା ଚେତାବନୀ ଦେଇଛନ୍ତି । ଯାହା ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି ।

ଦୁଇଦିନ ହେଲା ବର୍ଷା ପାଣିରେ ରହିଆସୁଥିବା ବସ୍ତିବାସିନ୍ଦାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ବର୍ଷା ପବନରେ ବାଲିସାହିରେ ରହୁଥିବା ପ୍ରାୟ ୪ଶହ ପରିବାରର ଟେଂଟ ଉପୁଡି ପଡିଥିଲା । ଏହାକୁ ନେଇ ବସ୍ତିବାସିନ୍ଦାଙ୍କ ଭିତରେ ଅସନ୍ତୋଷ ବଢିବା ସହ ସେମାନେ ସିଏମସି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ପୋଲିସ ପହଂଚିଥିବାବେଳେ ଲୋକେ ପୋଲିସ ଉପରକୁ ଟେକା ପଥର ମାଡ କରିଥିଲେ । ବିଧାୟକ ସୌଭିକ ବିଶ୍ୱାଳ ଓ ବାପା ପ୍ରଭାତ ବିଶ୍ୱାଳ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ସିଏମସି କମିଶନରଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇନଥିଲେ । ପରେ ବସ୍ତିର ପ୍ରତିନିଧିମାନଙ୍କୁ ସାଙ୍ଗରେ ଧରି ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ବିଧାୟକ ଓ ବାପା । ସିଏମସି କମିଶନର କିମ୍ବା ଅନ୍ୟ କେହି ବରିଷ୍ଠ ଅଧିକାରୀ ଧରାଛୁଆଁ ନଦେବାରୁ ଅସନ୍ତୋଷ ଝାଡିଥିଲେ ପ୍ରଭାତ ବିଶ୍ୱାଳ ।