ପ୍ରଭାତ ବିଶ୍ୱାଳଙ୍କ ବଡ ବିସ୍ଫୋରଣ: ବବି, ପାଣ୍ଡିଆନଙ୍କୁ ଉପରେ ବର୍ଷିଲେ କଟକ ନେତା

1,190

କନକ ବ୍ୟୁରୋ: ବିଜେଡି ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ନେତା । ରେଜଲ୍ଟର ୩ ସପ୍ତାହ ପରେ  କର୍ମକର୍ତ୍ତା ବୈଠକରେ ପ୍ରଥମ ଥର ପାଇଁ ସିଧାସଳଖ ବବି ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।  ଆଉ ଏହା ବିଜେଡିରେ କମ୍ପନ ସୃଷ୍ଟି କରିଛି । ନିଜ ବୟାନର ଗୋଟିଏ ଦିନ ପରେ ଆଜି ପ୍ରଭାତ ନିଜ ମତ ବଦଳାଇଛନ୍ତି ।

ବିଜେଡିର ପରାଜୟ ପାଇଁ ସିଧାସଳଖ ପ୍ରଣବ ପ୍ରକାଶ ଦାସ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ ବିଶ୍ୱାଳ। ପରାଜୟକୁ ନେଇ ସିଧାସଳଖ ବବି ଦାସ ଓ ପାଣ୍ଡିଆନଙ୍କୁ ସେ ଦୋଷ ଦେଇଛନ୍ତି। କଟକ- ଚୌଦ୍ବାର ବିଧାୟକ ସୌଭିକ ବିଶ୍ୱାଳଙ୍କ ବିଜୟ ପାଇଁ ଏକ ବିଜୟ ସଭାର ଯୋଗ ଦେଇ, ଏଭଳି ସମାଲୋଚନା କରିଛନ୍ତି ପ୍ରଭାତ । କହିଛନ୍ତି, ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ମା ହାରିବା ପଛରେ ସେମାନଙ୍କ କର୍ମଫଳ ଦାୟୀ । ପାଣ୍ଡିଆନ ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ବୁଲିଥିଲେ। ଏହା ଦଳ ପାଇଁ ନକରାତ୍ମକ ପ୍ରଭାବ ସୃଷ୍ଟି କରିଥିଲା। ପୋଷ୍ଟରରେ ବବି ଓ ପାଣ୍ଡିଆନଙ୍କ ଫୋଟୋ ମାରିବା ମହଙ୍ଗା ପଡିଲା ବୋଲି କହିଛନ୍ତି ବିଜେଡିର ଏହି ବଡ଼ ନେତା।

ନିର୍ବାଚନ ପରେ ପ୍ରଭାତ ବିଶ୍ୱାଳ ପ୍ରଥମ ଥର ଲାଗି ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଖୁଲମଖୁଲ୍ଲା ବିଷ ଓଗାଳିଛନ୍ତି । ତେବେ ମଙ୍ଗଳବାରର ଏଭଳି ବିସ୍ଫୋରକ ବୟାନ ଦେବା ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ଆଉ ଏହା ପରେ ମତ ବଦଳାଇଛନ୍ତି ପ୍ରଭାତ ବିଶ୍ୱାଳ । ଆଉ କହିଛନ୍ତି, କଥା ପ୍ରସଙ୍ଗରେ ସେ ଏହା କହିଥିଲେ। ସରକାର ବିରୋଧୀ ହାଓ୍ୱା ଯୋଗୁଁ ବିଜେଡି ହାରିଲା ।

ନିର୍ବାଚନରେ ପରାଜୟ ପରେ ବିଜେଡିର ଅସନ୍ତୋଷ ଧିରେ ଧିରେ ପଦାକୁ ଆସୁଛି । ଆଉ ପ୍ରଭାତଙ୍କ ପରେ ଆହୁରି କିଛି ନେତା ବି ମୁହଁ ଖୋଲିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।