ବିଜେଡିକୁ ପ୍ରତ୍ୟୁଷାଙ୍କ ବାଏ ବାଏ, ଖୁବଶୀଘ୍ର ଧରିପାରନ୍ତି କଂଗ୍ରେସର ହାତ? ନୟାଗଡ ଆସନରୁ ଲଢିବା ନେଇ ବଢିଲା ଚର୍ଚ୍ଚା !

255

କନକ ବ୍ୟୁରୋ : ବିଜେଡିକୁ ବାଏ ବାଏ କରିବା ପରେ ଏବେ କେଉଁ ଶିବିରରେ ଏଣ୍ଟ୍ରି କରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ଏପରିକି ବିଧାନସଭା ନା ଲୋକସଭା ପାଇଁ ପ୍ରତ୍ୟୁଷା ମୈଦାନକୁ ଓହ୍ଲାଇବେ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ରହିଛି । ତେବେ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ବଡ ଖବର ଅନୁଯାୟୀ, ବିଜେଡିରୁ ଆଜି ଇସ୍ତଫା ଦେଇଥିବା ପ୍ରତ୍ୟୁଷା ବିଜେପି ନୁହେଁ ବରଂ କଂଗ୍ରେସର ହାତ ଧରିପାରନ୍ତି । ଏନେଇ କନ୍ଧମାଳ ରାଜନୀତିରେ ବଡ ଧରଣର ହଟଚମଟ ସୃଷ୍ଟି ହୋଇଛି ।

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତ୍ୟୁଷା ଆଜି ଯେକୌଣସି ମୁହୂର୍ତ୍ତରେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି । ଏପରିକି ନୟାଗଡ ବିଧାନସଭା ଆସନରୁ ସେ ନିର୍ବାଚନ ମୈଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ ପିସିସି ସଭାପତିଙ୍କ ସହ ଆଲୋଚନା ହୋଇଥିବା ବିଶ୍ୱସ୍ତସୁତ୍ରରୁ ସୂଚନା ମିଳିଛି ।

ଏହାପୂର୍ବରୁ କନ୍ଧମାଳ ଲୋକସଭା ଟିକେଟ ତାଙ୍କୁ ମିଳିନଥିବା ବେଳେ ସେ ଇସ୍ତଫା ଦେବା ନେଇ ସଂକେତ ଦେଇଥିଲେ ।ଏପରିକି ସେ ନୟାଗଡ ଆସନରୁ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ସିଧାସଳଖ କହିଥିଲେ । ଆଉ ଆଜି ଯେତେବେଳେ ଦଳରୁ ଇସ୍ତଫା ଦେଇଥିଲେ ସେତେବେଳେ ନୟାଗଡ ବିଧାୟକ ଅରୁଣ ସାହୁ ଓ ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖଙ୍କ ଉପରେ ପ୍ରବଳ ବର୍ଷିଥିଲେ । କନ୍ଧମାଳ ଓ ନୟାଗଡ଼ରେ ଭଲ କାମ କରିଥିଲେ ହେଁ ମୋ କାମକୁ ଅଣଦେଖା କରାଯାଇଛି ବୋଲି କହିଛନ୍ତି ପ୍ରତ୍ୟୁଷା । ସେ କହିଛନ୍ତି ତାଙ୍କୁ ୪ ବର୍ଷ ହେବ ବିଭିନ୍ନ ମାମଲାରେ ଛନ୍ଦି ହଇରାଣ କରାଯାଉଛି । ତାଙ୍କର ସ୍ୱାମୀଙ୍କ ମୃତ୍ୟୁ ପରେ ଅରୁଣ ବହୁତ ହଇରାଣ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ପ୍ରତ୍ୟୁଷା । ଏନେଇ ବାରମ୍ବାର ପାର୍ଟି ଫୋରମରେ ଜଣାଇଥିଲେ ସୁଦ୍ଧା କେହି ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । ଦଳର ନିର୍ଦ୍ଦେଶ ମାନିଛନ୍ତି, ହେଲେ କୌଣସି ବ୍ୟକ୍ତିଙ୍କ ନିର୍ଦ୍ଦେଶରେ କାମ କରିବେ ନାହିଁ ବୋଲି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ।

ଇସ୍ତଫାପତ୍ରରେ ସିଧାସଳଖ ଅରୁଣଙ୍କୁ ଟାର୍ଗେଟ କରିଥିବାରୁ ଆଗାମୀ ଦିନରେ ନୟାଗଡରେ ଅରୁଣଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି । ଯେହେତୁ ତାଙ୍କ ସ୍ୱାମୀ ପୂର୍ବରୁ କଂଗ୍ରେସରେ ଥିଲେ ତେଣୁ ପ୍ରତ୍ୟୁଷାଙ୍କୁ କଂଗ୍ରେସ ଫେରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କନ୍ଧମାଳ ଲୋକସଭା ଆସନ ପାଇଁ ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଥିଲା ଦଳ । ଯେଉଁଥିପାଇଁ କନ୍ଧମାଳ ସାଂସଦ ଥିବା ପ୍ରତ୍ୟୁଷାଙ୍କ ଟିକେଟ କଟିଥିଲା । ଆଉ ଏହାପରେ ନିଜର ଅସନ୍ତୋଷ ଜାହିର କରିବା ସହ ଦଳରୁ ଇସ୍ତଫା ଦେଇଥିଲେ ପ୍ରତ୍ୟୁଷା ।