ଖାସ୍ ସେବାୟତଙ୍କୁ ଶୃଙ୍ଖଳା ଶିଖାଇବା ପାଇଁ… ! ଶ୍ରୀମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ ନକରି ପତିତପାବନରୁ ଦିଅଁ ଦର୍ଶନ କରିବାକୁ ଆହ୍ୱାନ ଦେଲେ ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରତିଭା ରାୟ

184

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରେ ଦର୍ଶନ ନକରି ପତିତପାବନ ନିକଟରୁ ଦର୍ଶନ କରିବା ପାଇଁ ଅପିଲ କଲେ ପ୍ରତିଭା ରାୟ । ଜ୍ଞାନପୀଠ ପୁରସ୍କାର ବିଜୟିନୀ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଏପରି ଆହ୍ୱାନ କରିବା ପଛରେ ରହିଛି ଏକ ବଡ ଯୁକ୍ତି । ପୁରୀ ଶ୍ରୀମନ୍ଦିର ୪ଧାମ ଭିତରୁ ଅନ୍ୟତମ ହୋଇଥିବାବେଳେ ଏଠାରେ ସେବାୟତମାନଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରିଥିବା କହିଛନ୍ତି ପ୍ରତିଭା ରାୟ । ୩୧ ବର୍ଷ ତଳେ ତାଙ୍କ ସହ ସେବାୟତ କରିଥିବା ଦୁର୍ବ୍ୟବହାରକୁ ସେ ମନେ ପକାଇଛନ୍ତି । ରଥଯାତ୍ରା ସମୟରେ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟଙ୍କ ପ୍ରତି ସେବାୟତଙ୍କ ଆଚରଣ ଓ ପ୍ରତିଦିନ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଉପରେ ହେଉଥିବା ଅତ୍ୟାଚାରର କଥା କହି ଏଭଳି ଅପିଲ କରିଛନ୍ତି ପ୍ରତିଭା ରାୟ ।

୩୧ ବର୍ଷ ତଳେ ଅର୍ଥାତ ୨୭/୧୧/୧୯୮୭ ମସିହାରେ ଜ୍ଞାନପୀଠ ପୁରସ୍କାର ବିଜେତା, ଓଡ଼ିଶାର ପ୍ରତିଷ୍ଠିତ ଲେଖିକା ପ୍ରତିଭା ରାୟ ଶ୍ରୀମନ୍ଦିରରେ ଅପମାନିତ ହୋଇଥିଲେ, ସେବାୟତମାନଙ୍କ ଦ୍ୱାରା । ୧୯୮୮ ମସିହାରେ ଜାନୁୟାରୀ ୫ ତାରିଖରେ ସମାଜ ଖବରକାଗଜରେ ଏକ ଲେଖା ଲେଖିଥିଲେ । ଯେଉଁ ଲେଖାଟି ସାରା ଓଡ଼ିଶାରେ ଚହଳ ପକାଇଦେଇଥିଲା । ଶୀର୍ଷକ ଥିଲା ‘ଧର୍ମର ରଙ୍ଗ କଳା’ । ପ୍ରତିଭା ରାୟ ନିଜ ବାନ୍ଧବୀଙ୍କ ସହିତ ଶ୍ରୀମନ୍ଦିରକୁ ଯାଇଥିଲେ । ଆଉ ସେବକମାନଙ୍କ ଦ୍ୱାରା ଧକ୍କା ଏବଂ ଅଶ୍ଲୀଳ ଭର୍ସନାର ଶିକାର ହୋଇଥିଲେ । ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା ଏହି ଘଟଣାର ତଦନ୍ତ କରିବା ପାଇଁ ।

ପ୍ରତିଭା ରାୟ ୩୧ ବର୍ଷ ପରେ ପୁଣି ନିଜର ପ୍ରତିବାଦ ଜଣାଇଛନ୍ତି । ଯେତେବେଳେ ମହରାଷ୍ଟ୍ରରୁ ଆସିଥିବା ଜଣେ ଭକ୍ତକୁ ଅପମାନିତ କରାଯାଉଛି, ଯେତେବେଳେ ଲହୁଲୁହାଣ ହୋଇଥିବାର ଅଭିଯୋଗ ଆସିଛି । ୩୧ ବର୍ଷ ତଳେ ପ୍ରତିଭା ରାୟଙ୍କ ବାନ୍ଧବୀ ମଧ୍ୟ ପୁନେରୁ ପୁରୀ ଆସିଥିଲେ ଜଗନାଥ ଦର୍ଶନ ପାଇଁ । ସେହି ମହାରାଷ୍ଟ୍ରରୁ ଜଣେ ଭକ୍ତ ଅପମାନିତ ହୋଇଛନ୍ତି । ଆଉ ଏହାର ପ୍ରତିବାଦରେ ପ୍ରତିଭା ଦେଇଛନ୍ତି ଓଡ଼ିଶା ବାସୀଙ୍କ ପାଇଁ ଆହ୍ୱାନ ।

ପ୍ରତିଭା ରାୟଙ୍କ ଯାଜ୍ଞସେନୀ ଆପଣ ପଢ଼ିଥିବେ । ଦ୍ରୋପଦୀଙ୍କ ଚରିତ୍ରକୁ ବିଶ୍ଲେଷଣ କରିବାକୁ ଯାଇ ନାରୀ ସମାଜର କ୍ଷୋଭକୁ ନିଜ ଉପନ୍ୟାସରେ ପ୍ରକାଶ କରିଛନ୍ତି ପ୍ରତିଭା । କିନ୍ତୁ ଏବେ ଜଗନ୍ନାଥ ମନ୍ଦିରରେ ଘଟିଥିବା ଘଟଣା ତାଙ୍କୁ ବ୍ୟଥିତ କରିଛି । ପ୍ରତିଭା କହୁଛନ୍ତି ଭକ୍ତ ମାନେ ମନ୍ଦିର ଭିତରେ ଦର୍ଶନ ନକରି ବାହାରୁ ପତିତପାବନଙ୍କୁ ଦର୍ଶନ କରି ଏହାର ପ୍ରତିବାଦ କରନ୍ତୁ । ତାଙ୍କର ଯୁକ୍ତି ହେଉଛି ଆଧ୍ୟାତ୍ମିକ ପର୍ଯ୍ୟଟନ ଏବଂ ଧାର୍ମିକ ପର୍ଯ୍ୟଟନ ହେଉଛି ଆମ ଦେଶର ପର୍ଯ୍ୟଟନ ଶିଳ୍ପର ମୁଖ୍ୟଧାରା । ପୁରୀରେ ଜଗନ୍ନାଥଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବାଟରେ ଏକ ପର୍ଯ୍ୟଟନର ସହର ହୋଇପାରିବ ନାହିଁ । କିନ୍ତୁ ଧାର୍ମିକ ଓ ଆଧ୍ୟତ୍ମିକ କ୍ଷେତ୍ରରେ ରକ୍ଷକ ଯଦି ଭକ୍ଷକ ହୁଏ ଏହା ପର୍ଯ୍ୟଟନକୁ ପ୍ରଭାବିତ କରିବ ।

ବ୍ୟକ୍ତି ପାଇଁ ଜାତି ନିନ୍ଦିତ ନହେଉ ବୋଲି ପ୍ରତିଭା ମତ ରଖିଛନ୍ତି । କେବଳ ସେବକ ସମାଜ ନୁହେଁ ଭକ୍ତ ସମାଜ, ସନ୍ଥ ସମାଜ ଓ ଏବଂ ବୁଦ୍ଧିଜୀବୀଗଣ ଏହାର ପ୍ରତିବାଦ କରନ୍ତୁ । ଆହୁରି କହିଛନ୍ତି ଶାନ୍ତି, ମୈତ୍ରୀ ଓ ପ୍ରୀତିରେ ବିଶ୍ୱାସ କରୁଥିବା ଶ୍ରୀମନ୍ଦିରରେ ଶ୍ରୀ ଫେରାଇ ଆଣିବା ପାଇଁ ଆଗକୁ ଏକ ଆନ୍ଦୋଳନ ଓ ବିପ୍ଲବ ଦେଖିବ, ଯଦି ଏହାର ପ୍ରତିକାର ନହୁଏ ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆନଯାଏ ।