ପିପିଲି ପାଇଁ ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚାରେ ପ୍ରତିଭା ମହାରଥୀ । ଦୁଇ ଦୁଇ ଥର ସାମ୍ବାଦିକ ସମ୍ମିଳନୀ ଡାକିବି ରଖିଲେନି ପ୍ରତିକ୍ରିୟା । 

ପୁଅକୁ ଟିକେଟ ମିିଳିବା ପରେ ବୁଝିଗଲେ କି ମା’?

710

କନକ ବ୍ୟୁରୋ: ପିପିଲି ପାଇଁ ବିଜେଡି ଟିକେଟ୍ ଘୋଷଣା ହେବା ପରେ ଯେଉଁ ଚର୍ଚ୍ଚା ଥମି ଯିବାର କଥା, ତାହା ଥମିବା ବଦଳରେ ଆଉ ଏକ ମୋଡ୍ ନେଇ ନୂଆ ରୂପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯେତେବେଳେ ବିଜେଡିର କିଛି ତୁଙ୍ଗ ନେତା ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ପାଖରେ ପହଂଚିଥିଲେ । ପୁରୀ ବିଜେଡି ସଭାପତି ମହେଶ୍ୱର ମହାନ୍ତି, ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ନେତ୍ରୀ ପ୍ରମିଲ୍ଲା ମଲ୍ଲିକ ପ୍ରମୁଖ ପ୍ରତିଭା ମହାରଥୀଙ୍କ ପାଖରେ ପହଂଚି ଯାଇଥିଲେ ।

ତେବେ ପ୍ରଦୀପ ମହାରଥୀଙ୍କ ପରେ କିଏ? ଏହି ପ୍ରଶ୍ନ ଯେତେବେଳେ ବି ଆସୁଥିଲା । ସେତେବେଳେ ଦୁଇ ଜଣଙ୍କ ନାଁ ଚର୍ଚ୍ଚା ହେଉଥିଲା । ପୁଅ ରୁଦ୍ର ମହାରଥୀ ଏବଂ ପତ୍ନୀ ପ୍ରତିଭା ମହାରଥୀ । ହେଲେ ବିଜେଡି ସୁପ୍ରିମୋ ରୁଦ୍ରଙ୍କ ନାଁରେ ମୋହର ମାରିଥିଲେ । ପ୍ରଦୀପଙ୍କ ମହାରଥୀଙ୍କ ଲୋକପ୍ରିୟତାକୁ ଦେଖି ମହାରଥୀ ପରିବାରରୁ ଜଣକୁ ବିଜେଡି ଟିକେଟ୍ ଦେବାର ଏକ ପ୍ରକାର ସ୍ଥିର ଥିଲା । କିନ୍ତୁ ଆଶାୟୀ ପୁଅ ରୁଦ୍ର ମହାରଥୀ ଏବଂ ପତ୍ନୀ ପ୍ରତିଭା ମହାରଥୀ, ଦୁଇ ଜଣ ଯାକ ଥିଲେ ।

ଏ ସବୁ ଭିତରେ କିନ୍ତୁ ଦିନ ତମାମ୍ ପ୍ରତିଭା ମହାରଥୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଥିଲା । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ରୁଦ୍ର ମହାରଥୀଙ୍କୁ ଟିକେଟ୍ ମିଳିବା ସମ୍ପର୍କରେ ପ୍ରତିକ୍ରିୟା ରଖିବା ନେଇ ଚର୍ଚ୍ଚା ହୋଇଥିଲା । ପରେ ପିପିଲି ଫାର୍ମ ହାଉସ ଯାଇ ରୁଦ୍ରଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିବେ ବୋଲି ଆମ ପ୍ରତିନିଧିଙ୍କୁ ଫୋନରେ କହିଥିଲେ ପ୍ରତିଭା ମହାରଥୀ ।

ପ୍ରତିଭାଙ୍କ ପ୍ରତିକ୍ରିୟା ତ ଆସିଲାନି କିନ୍ତୁ ଟିକେଟ୍ ମିଳିବା ପରେ ରୁଦ୍ର ମହାରଥୀ କହିଥିଲେ- ମା’ଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି । ଏହାରି ଭିତରେ ପିପିଲି ଉପ-ନିର୍ବାଚନ ପାଇଁ ବିଜେଡ଼ିରୁ ରୁଦ୍ର ପ୍ରାର୍ଥି ହେବା ପରେ ବିଜେଡ଼ି ତା’ର ରଣନୀତି ପ୍ରସ୍ତୁତ କରିଛି ।  ଡ଼େଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ଏକ ବଡ଼ ଧରଣର ବୈଠକ ହୋଇଛି । ବୈଠକରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଠାରୁ ଅରମ୍ଭ କରି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ପ୍ରମୁଖ ସାମିଲ ହୋଇଥିଲେ । ପଂଚାୟତ ସ୍ତରରେ କମିଟି ଗଠନ କରି, ଯୁବ, ଛାତ୍ର ଓ ମହିଳାଙ୍କ ସହ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେଡିର ଏହି ପ୍ରସ୍ତୁତି ଭିତରେ ଆସନ୍ତା ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ର ପ୍ରତାପ ମହାରଥୀ ।