ଦିନେ ବିଲରେ କରୁଥିଲେ ଚାଷ କାମ । ଆଜି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ହେଲେ ସାମିଲ । ଜାଣନ୍ତୁ, ଏହି ମହିଳା ଜଣକ କିଏ?

1,006

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜ ମନ୍ତ୍ରୀମଣ୍ଡଳର ବିସ୍ତାର କରିବା ସହିତ ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ହେଲେ ଏହାରି ଭିତରେ କିଛି ଏପରି ନେତା ଅଛନ୍ତି ଯେଉଁମାନେ ତୃଣମୂଳ ସ୍ତରରୁ ଆସି ଆଜି କେନ୍ଦ୍ରମନ୍ତ୍ରୀ ହୋଇପାରିଛନ୍ତି । ସେହିଭଳି ଜଣେ ନେତ୍ରୀ ହେଉଛନ୍ତି ତ୍ରିପୁରାର ପ୍ରତିମା ଭୌମିକ । ସେ ଜଣେ ସାମାନ୍ୟ ଚାଷୀରୁ ଆଜି କେନ୍ଦ୍ରମନ୍ତ୍ରୀ ହୋଇପାରିଛନ୍ତି।

ପ୍ରତିମା ଭୌମିକ ହେଉଛନ୍ତି ପଶ୍ଚିମ ତ୍ରିପୁରାର ସାଂସଦ । ହେଲେ ପିଲା ଦିନରୁ ସେ କୃଷି କାର୍ଯ୍ୟ ସହ ଜଡିତ ଥିଲେ । ତାଙ୍କ ଗାଁ ଧନପୁରରେ ସେ ତାଙ୍କ ପରିବାର ସହ ରହୁଥିବାବେଳେ କୃଷି କାର୍ଯ୍ୟ କରି ପେଟ ପୋଷୁଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରିବା ସହିତ ଆଜି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ମୋଦୀଙ୍କ ଟିମରେ ସେ ଜଣେ ମହିଳା ଲିଡର ଭାବେ ମଧ୍ୟ ଉଭା ହୋଇଛନ୍ତି । ଗତ ସାଧାରଣ ନିର୍ବାଚନରେ ସେ ଶଙ୍କର ପ୍ରସାଦ ଦତ୍ତଙ୍କୁ ବହୁ ଭୋଟରେ ହରାଇବା ସହିତ ସାଂସଦ ହୋଇଥିଲେ । ସେ ଶଙ୍କର ପ୍ରସାଦକୁ ପ୍ରାୟ ୩ ଲକ୍ଷରୁ ଅଧିକ ଭୋଟରେ ହରାଇ ଚର୍ଚ୍ଚାକୁ ଆସିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ତ୍ରିପୁରାର ପ୍ରଥମ ସ୍ଥାୟୀ ଅଧିବାସୀ ଭାବେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । କାହିଁକି ନା ତାଙ୍କ ପୂର୍ବରୁ ବେଙ୍ଗଲୀ ନେତା ତ୍ରିଗୁଣା ସେନ୍ ଓ ଆସାମୀ ନେତା ସନ୍ତୋଷ ମୋହନ ଦେବ ତ୍ରିପୁରାରୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ହେଲେ ପ୍ରତିମ ପ୍ରଥମ ତ୍ରିପୁରାର ସ୍ଥାୟୀ ଅଧିବାସୀ ଭାବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ଖାଲି ସେତିକି ନୁହେଁ, ସେ ଉତ୍ତର-ପୂର୍ବ ରାଜ୍ୟରୁ ଦ୍ୱିତୀୟ ମହିଳା ଭାବେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପକ୍କା କରିଛନ୍ତି । ତାଙ୍କ ପୂର୍ବରୁ ବିଜୟା ଚକ୍ରବର୍ତ୍ତୀ ପ୍ରଥମ ମହିଳା ଭାବେ ଉତ୍ତର-ପୂର୍ବ ରାଜ୍ୟରୁ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ ।