କାଲି ପ୍ରଥମାଷ୍ଟମୀ, ମହାପ୍ରଭୁ ହେବେ ପଢୁଆଁ । ଶ୍ରୀକ୍ଷେତ୍ରରେ ପହଞ୍ଚିଲା କାଳିଆ ସାଆନ୍ତଙ୍କ ପାଇଁ ନବବସ୍ତ୍ର ଓ ଅଷ୍ଟମୀ ଭାର । ଭଣଜା ପାଇଁ ଭାର ପଠାଇଛନ୍ତି ନିଆଳିର ମାଧବାନନ୍ଦଜୀଉ ।

498

କନକ ବ୍ୟୁରୋ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର ଚଳଚଞ୍ଚଳ । ଚଳିତ ବର୍ଷ ମାମୁଁ ଘରୁ ମହାପ୍ରଭୁଙ୍କ ଲାଗି ଅଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ଯାଇ ଶ୍ରୀମନ୍ଦିରରେ ପହଂଚିଛି । ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ପହଂଚିଛି ଶ୍ରୀକ୍ଷେତ୍ରରେ ।

ପଢୁଆ ହେବେ ଶ୍ରୀଜଗନ୍ନାଥ । ପ୍ରଥମାଷ୍ଟମୀ ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଛି ଅଷ୍ଟମୀ ଭାର । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ ପୁରୀ ଯାଇଛି । ଆଉ ଏହି ଭାର ପଠାଯାଇଛି କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିରରୁ । ଏହା ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପଢୁଆଁ କରାଯାଉଛି । ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ରରେ ପହଂଚିଛି ।

ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା । ପୁରାତନ ପ୍ରଥାକୁ ବଚାଂଇ ରଖିବାକୁ ଚଳିତ ବର୍ଷ ନିଆଳିର ମାଧବାନନ୍ଦଜୀଉ ମନ୍ଦିରର ଛତିଶା ସେବକ ନିଯୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଭାର ଓ ନୁଆ ବସ୍ତ୍ର ନେଇ ପୁରୀ ଯାଇଛନ୍ତି ।

ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨ ଶହ ୨୬ ଖ୍ରୀଷ୍ଟାଦ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି । ଆଉ ସେବେଠାରୁ ଚାଲିଆସୁଛି ଏହି ପରମ୍ପରା ।